ଗଜପତି: ନୂଆବର୍ଷର ପ୍ରଥମ ରବିବାରରେ ଗଜପତିଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ଼ଧରଣର ଦୁର୍ଘଟଣା । ଟ୍ରକ୍ ସହ କାର୍ ଧକ୍କା । ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଧୀନ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ସମସ୍ତ ୩ ଜଣ ଓଡ଼ିଆ ବୋଲି ଜଣାପଡ଼ିଛି । ୨ ଗୁରୁତରଙ୍କୁ ଶ୍ରୀକାକୁଲମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।
ସୂଚନାନୁସାରେ, ଭୁବନେଶ୍ୱରର ଗୋଟିଏ ପରିବାରର ସଦସ୍ୟମାନେ OD-01W-8485 ନମ୍ବର ବିଶିଷ୍ଟ ଏକ କାର୍ରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ କାର୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା ।
ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରିଛି। ତେବେ ଟ୍ରକ୍କୁ ଉଦ୍ଧାର କରାଯାଇପାରି ନାହିଁ।