Latest Odisha News

BREAKING NEWS

ବିନା ଚାପରେ କ୍ୟାରିୟର ଚୟନ କର: କ୍ୟାରିୟର ପ୍ରଦର୍ଶନୀରେ ଛାତ୍ରଛାତୀଙ୍କୁ ପରାମର୍ଶ

ଭୁବନେଶ୍ୱର: ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ଅସଂଖ୍ୟ କ୍ୟାରିୟର ବିକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଏନ୍‌ସିଇଆରଟି, ଭୁବନେଶ୍ୱର ପକ୍ଷରୁ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ବୃତ୍ତି ଓ ଉଦ୍ୟୋଗ ବିଷୟରେ ବୁଝିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସାବ୍ୟସ୍ତ ହୋଇଥିଲା । ଏହି ପ୍ରଦର୍ଶନୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଠାରୁ ଆରମ୍ଭ କରି କଳା ଓ ବାଣିଜ୍ୟ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କ୍ୟାରିୟର ସମ୍ବନ୍ଧୀୟ ମାର୍ଗ ପ୍ରଦର୍ଶିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ସମ୍ମାନିତ ମୁଖ୍ୟ ଅତିଥି ଆର୍‌ଆଇଇ ପ୍ରିନ୍ସିପାଲ୍ ପ୍ରଫେସର ପି. ସି. ଅଗ୍ରୱାଲ, ବିଶେଷ ଅତିଥି ଭୁବନେଶ୍ୱର କେଭି ସଂଗଠନ ଆରଓର ଡେପୁଟି କମିଶନର ଡଃ  ଶିହରଣ ବୋଷ  ଓ ୩ ନମ୍ବର କେଭିର ପ୍ରିନ୍ସିପାଲ ଡଃ  ଏ. କେ.  ମିଶ୍ର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ଆସୋସିଏଟ୍ ପ୍ରଫେସର ଡଃ  ଆର୍ ସେଠୀ, ଉପାଧ୍ୟକ୍ଷ,  ଏସ୍ . କେ. ଦାଶ, ବି. ଏନ୍‌. ଷଡ଼ଙ୍ଗୀ ଓ କେଭି -୩ର ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ ।

ପ୍ରଫେସର ପିସି ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବର୍ତନ ଓ ନବସୃଜନକୁ ଆପଣାଇବାକୁ ପ୍ରୋତ୍ସାହିତ କରିବା ସହ କ୍ୟାରିୟର ଚୟନ କରିବା ଏବଂ ପ୍ରାସଙ୍ଗିକ ଦକ୍ଷତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତିର ସୁପାରିସ ଉପରେ ସେ ଆଲୋକପାତ କରିଥିଲେ ।

କେଭିଏସ୍ ଆରଓ, ଭୁବନେଶ୍ୱରର ଡେପୁଟି କମିଶନର ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଆଗ୍ରହ ଭିତ୍ତିରେ ଏବଂ ବିନା କୌଣସି ଚାପରେ କ୍ୟାରିୟର ଚୟନ କରିବାକୁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଆର୍‌ଆଇଇର ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ୪୮ରୁ ଅଧିକ ଉଦୀୟମାନ କ୍ୟାରିୟର ପ୍ରଦର୍ଶନ କରାଯାଇଥିଲା ।

ପ୍ରଦର୍ଶନୀ କେବଳ ସୂଚନାପ୍ରଦ ନୁହେଁ ବରଂ ଆକର୍ଷଣୀୟ ଏବଂ ମଜାଦାର ମଧ୍ୟ ଥିଲା ଯାହା ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ କ୍ୟାରିୟର ପସନ୍ଦ ବ୍ୟତୀତ ଚିନ୍ତା କରିବାକୁ ଏବଂ ଉଦୀୟମାନ କ୍ଷେତ୍ରଗୁଡିକ ଉପରେ ବିଚାର କରିବାକୁ ଉତ୍ସାହିତ କରିଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀକୁ ବିଭିନ୍ନ ବିଦ୍ୟାଳୟର ୬ ଶହରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ପରିଦର୍ଶନ କରିଥିଲେ ।

Comments are closed.