Latest Odisha News

BREAKING NEWS

ଗଣେଶ ପୂଜାରେ ପରଦାକୁ ଆସିବ ‘ପୁଷ୍କରା’: ସିନେମାଟୋଗ୍ରାଫରରୁ ନିର୍ଦ୍ଦେଶକ ସାଜିଲେ ଶୁଭ୍ରାଂଶୁ

ଭୁବନେଶ୍ୱର: ଯୁବ ଓଡ଼ିଆ ସିନେମାଟୋଗ୍ରାଫର ଶୁଭ୍ରାଂଶୁ ଦାସଙ୍କ ସଫଳତା । ନିକଟରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ପୁଷ୍କରାରେ ପ୍ରଥମ କରି ନିର୍ଦ୍ଦେଶନା ଦେଇଛନ୍ତି ସିନେମାଟୋଗ୍ରାଫର ଶୁଭ୍ରାଂଶୁ । ଯାହାକୁ ନେଇ ଏବେ ଚର୍ଚ୍ଚା ଢେର । ଔପୋନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ଲିଖିତ ଓଡ଼ିଆ ନଭେଲ ‘ନଦବିନ୍ଦୁ’ ର କାହାଣୀ ଉପରେ ତିଆରି ହୋଇଛି ଏହି ଫିଲ୍ମ । ବିଶେଷକରି ଓଡ଼ିଆ ଘରର ଚଳଣୀ, ପରମ୍ପରା ଓ ମାନସିକତାକୁ ଏହି ଫିଲ୍ମରେ ପ୍ରଦର୍ଶିତ କରାଯିବା ପାଇଁ ଭରପୂର ପ୍ରୟାସ କରାଯାଇଛି ।

ସାଧାରଣତଃ ଓଡ଼ିଆ ଘରର ଚଳଣି ଅନୁସାରେ ଯେଉଁ ସମୟରେ ଜଣେ ବ୍ୟକ୍ତିଙ୍କର ଦେହାନ୍ତ ଘଟେ ସେ ସମୟରେ ପୁଷ୍କରା ଭଳି ଆତ୍ମଶୁଦ୍ଧି କାର୍ଯ୍ୟକ୍ରମ କରାଯାଇଥାଏ । ମୁଖ୍ୟତଃ ଏହି ଧାରା ଓ ପରମ୍ପରାକୁ ପୁଷ୍କରା ଫିଲ୍ମରେ ଉତ୍ତାରିବା ପାଇଁ ଭରପୂର ପ୍ରୟାସ କରିଛନ୍ତି ଶୁଭ୍ରାଂଶୁ । ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ନିଜସ୍ୱ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମାଣ ନେଇ ସେ ପ୍ରୟାସ କରିଛନ୍ତି , ଯାହା ଦର୍ଶକଙ୍କ ଗ୍ରହଣୀୟତା ହେବ ବୋଲି ଶୁଭ୍ରାଂଶୁଙ୍କ ଆଶା । ସେ ପୂର୍ବରୁ ବଲିଉଡ଼ ଫିଲ୍ମ ‘ ଫିଲ୍ମସ୍ଥାନ’ , ‘ରାମସିଂହ ଚାର୍ଲି’, ‘ପୂର୍ଣ୍ଣ. ‘ସିଆ’, ଦ ଲାଷ୍ଟ କଲର, କୌନ କିତିନା ପାନି ମୈ, ଅଟକନ୍ ଚଟକନ୍ ଆଦି ଫିଲ୍ମରେ ସେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ତେବେ ପୁଷ୍କରା ହେଉଛି ତାଙ୍କର ନିର୍ଦ୍ଦେଶକ ଭାବେ ପ୍ରଥମ ଫିଲ୍ମ ।

ଫିଲ୍ମରେ ଅଭିନେତା ସବ୍ୟସାଚି ମିଶ୍ର, ତ୍ରିଭୁବନ ପଣ୍ଡା, ସୁପ୍ରିୟା ନାୟକ, ବିକାଶଦାସ ଚୌଧୁରୀ ପ୍ରମୁଖ ଅଭିନୟ କରିଛନ୍ତି । ଆସନ୍ତା ୧୯ ତାରିଖ ଗଣେଶପୂଜାରେ ଏହି ଫିଲ୍ମଟି ରିଲିଜ୍ ହେବ । ନିଜ ସଫଳତା ସମ୍ପର୍କରେ ଶୁଭାଂଶୁ କୁହନ୍ତି, ଓଡ଼ିଆ ଘରର ଚଳଣି ଅନୁସାରେ ଜଣେ ବ୍ୟକ୍ତିଙ୍କର ଦେହାନ୍ତ ଘଟିଲେ, କେଉଁ ସମୟରେ ତାଙ୍କର ଦେହାନ୍ତ ହୋଇଛି ସେହି ଅନୁସାରେ ପୁଷ୍କର କ୍ରିୟାକର୍ମ କରାଯାଇଥାଏ । ପୁରୁଷ ପୁରୁଷ ଧରି ଏହି ମାନସିକତା ଓ ଧାରା ଅନୁଶ୍ରୁତ ହୋଇ ଆସୁଛି । ତେବେ ଏହାକୁ ଆଧାର କରି ଫିଲ୍ମଟି ନିର୍ମାଣ ହୋଇଛି । ଜଣେ ଫିଲ୍ମମେକର ଭାବେ ସୁଯୋଗ ପାଇଥିବାରୁ ଖୁସି ଥିବା କହିଛନ୍ତି ଶୁଭ୍ରାଂଶୁ ।

ନିଜ ସଫଳତା ସମ୍ପର୍କରେ ଶୁଭ୍ରାଂଶୁଙ୍କ ଯୁକ୍ତି ହେଲା, ସିନେମାଟୋଗ୍ରାଫର ଭାବେ ସେ ଅନେକ ୱେବସିରିଜ୍ ଓ ଫିଲ୍ମରେ ସୁଯୋଗ ପାଇଛନ୍ତି । କିନ୍ତୁ ନିର୍ଦ୍ଦେଶକ ହେବା ପାଇଁ ସୁଯୋଗ ମିଳିବା ଏହା ହେଉଛି ପ୍ରଥମ । ତେଣୁ ନିଜର ପ୍ରଥମ ଫିଲ୍ମର ନିର୍ଦ୍ଦେଶକ ଭାବେ ସ୍କ୍ରିନ୍‌ରେ ଦର୍ଶକ ଗ୍ରହଣୀୟତା ରହିବ ବୋଲି ସେ ଆଶା କରିଛନ୍ତି । ଜଣେ ଓଡ଼ିଆ ଭାବେ ଗର୍ବ କରୁଥିବା ଶୁଭ୍ରାଂଶୁ କୁହନ୍ତି, ମୋର ମାତୃଭାଷା ଓଡ଼ିଆ । ସ୍ୱାଭାବିକ ଭାବରେ ଓଡ଼ିଆ ଭାଷାରେ ଚିତ୍ର ଓ ଚରିତ୍ରକୁ ମୁଁ ତିଆରି କରି ବସେ । ମୋର ପିଲାଦିନ ଓଡ଼ିଶାରେ କଟିଛି । ସେ ଭାବନା ଭିତରେ ଅନେକ କାଳ୍ପନିକ ଚିତ୍ର ଓ ଚରିତ୍ରମାନେ ଘୂରି ବୁଲନ୍ତି । ତେଣୁ ସେସବୁ ଧାରାକୁ ସୁନ୍ଦର ଭାବେ ଏହି ଫିଲ୍ମରେ ପ୍ରୟୋଗ ପାଇଁ ମୁଁ ଚେଷ୍ଟା କରିଛି, ଯାହାକୁ ଦର୍ଶକ ପସନ୍ଦ କରିବେ ବୋଲି ମୋର ଆଶା ।

Leave A Reply

Your email address will not be published.