ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଯାଜପୁର ସଦର ଥାନା ଓ ଟାଉନ ଥାନା ଉପରେ ତୀକ୍ଷଣ ନଜର ରଖାଯାଇଛି । ସେପଟେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏଡିଜି ସଞ୍ଜୟ କୁମାର । ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସ କଡା ନଜର ରଖିଛି । ଘଟଣା ପରେ ଆନ୍ଦୋଳନରତ କର୍ମୀ ଏବେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ସେପଟେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ଜଣକୁ ଅଟକ ରଖିଛି ଯାଜପୁର ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତିନୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ ଫେରାର ରହିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।
ସୂଚନା ଅନୁସାରେ, ଗତକାଲି ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ କରିଥିବା ନେଇ କହିଛନ୍ତି ବିଧାୟକ ଶ୍ରୀ ସାହୁ । ସେପଟେ ଏନେଇ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ବିଧାୟକ ହିମାଂଶୁ ସାହୁ । ଅଭିଯୋଗ ପରେ ଘଟଣାକୁ ଗୁରୁତର ସହକାରେ ନେଇ ତଦନ୍ତ ଚଳାଇଛି ପୋଲିସ ।
ହିମାଂଶୁଙ୍କ ଅଭିଯୋଗ ଅନୁସାରେ, ରାସ୍ତା ବନ୍ଦ ଯୋଗୁ ତାଙ୍କ ଗାଡ଼ି ଅଟକିଥିଲା। ଏହି ସମୟରେ କିଛି ଲୋକ ମାଡ଼ି ଆସି ତାଙ୍କ ଗାଡ଼ିକୁ ରଡ୍ ଏବଂ ଠେଙ୍ଗାରେ ପିଟିଥିଲେ। ଏଥିସହ ତାଙ୍କୁ ମାଡ଼ ମାରି ତାଙ୍କ ବେକରୁ ସୁନା ଚେନ ଛଡ଼ାଇ ନେଇଥିଲେ। ଆକ୍ରମଣ ସମୟରେ ଅଭିଯୁକ୍ତମାନେ ବବି ଭାଇ ଜିନ୍ଦାବାଦ ବୋଲି କହିଥିଲେ। କେବଳ ସେତିକି ନୁହେଁ ତୁରନ୍ତୁ ଏଠାରୁ ପଳା, ନଚେତ ଜୀବନରୁ ମାରିଦେବୁ ବୋଲି କହିଥିଲେ। ଅନ୍ୟପଟେ ହିମାଂଶୁଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ବିଧାୟକ ବବି ଦାସ। ଘଟଣା ସମୟରେ ସେ ଉପସ୍ଥିତ ନ ଥିବା କହିଛନ୍ତି।