Latest Odisha News

BREAKING NEWS

ବଲାଙ୍ଗୀର ରାଜ ପରିବାର ଘରୋଇ କଳି, ବୋହୂ ନାଁରେ ଶାଶୁ ଘର ଲୋକ ଦେଲେ ଏତଲା

ବଲାଙ୍ଗୀର: ରାଜପରିବାର ମଧ୍ୟରେ ଚାଲିଥିବା ବୈବାହିକ ବିବାଦରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ଓ ତାଙ୍କ ବାପା ଅଜୟ ସିଂହଙ୍କ ବିରୋଧରେ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଅର୍କେଶଙ୍କ ପରିବାର ଲୋକେ ଏହି ମାମଲା ରୁଜୁ କରିଛନ୍ତି। ୨୦୧୭ ନଭେମ୍ବର ୨୩ରେ ଅଦ୍ରିଜା ଓ ଅର୍କେଶଙ୍କ ବିବାହ ହୋଇଥିଲା।

ଅଭିଯୋଗରେ ଦର୍ଶାଯାଇଛି ଯେ ସେମାନେ ଗତ ପାଞ୍ଚ ବର୍ଷ ଧରି ଡେରାଡୁନରେ ଅର୍କେଶଙ୍କ ଘରେ କାମ କରୁଥିବା ରବିତା ଝା’ ନାମକ ଜଣେ ମହିଳା ସହାୟିକାଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଏଫଆଇଆରରେ ଅଦ୍ରିଜାଙ୍କ ଭଉଣୀ ରୁଚା ଏବଂ ଡ୍ରାଇଭର ସୋନୁଙ୍କ ନାମ ମଧ୍ୟ ରହିଛି।

ନିକଟରେ ଅର୍କେଶଙ୍କ ବିରୋଧରେ ଅଦ୍ରିଜା ଘରୋଇ ହିଂସା ମାମଲା ରୁଜୁ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ତାଙ୍କ ବାପା ତଥା ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ, ମା’ ବିଜୟଲକ୍ଷ୍ମୀ ଦେବୀ, ଭାଇ କଳିକେଶ ନାରାୟଣ ସିଂହଦେଓ, ଆଉ ଭଉଣୀ (ନଣନ୍ଦ) ମେଘନା ରଣାଙ୍କ ବିରୋଧରେ ଡେରାଡୁନ ଥାନାରେ ଘରୋଇ ହିଂସା ଅଭିଯୋଗ କରିଛନ୍ତି ଅଦ୍ରିଜା। ଘରୋଇ ହିଂସାରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି।

ଏହି ଅଭିଯୋଗର ଜବାବରେ ଅଦ୍ରିଜା ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି। ଏହି ଅଭିଯୋଗଗୁଡ଼ିକ ଘରୋଇ ହିଂସା ମାମଲାରୁ ଦୃଷ୍ଟି ହଟାଇବା ପାଇଁ ଏକ ପ୍ରୟାସ ବୋଲି ସେ କହିଛନ୍ତି। ଅଦ୍ରିଜା ଉଲ୍ଲେଖ କରିଛନ୍ତି ଯେ ବିହାରର ମୈଥିଲ ବ୍ରାହ୍ମଣମାନଙ୍କ ମଧ୍ୟରେ “ଝା” ଉପନାମ ସାଧାରଣ ଅଟେ ଏବଂ ତାଙ୍କ ଜେଜେବାପା ଜାତି ବିଭାଜନ ବିରୁଦ୍ଧରେ ଥିଲେ। ସେ ତାଙ୍କ ଜେଜେବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ଦ୍ୱାରା ପ୍ରଚଳିତ ମୂଲ୍ୟବୋଧରେ ବଞ୍ଚୁଥିବା ଦାବି କରିଛନ୍ତି।

ଅଦ୍ରିଜା ପୂର୍ବରୁ ରାଜପରିବାର ବିରୋଧରେ ଆଇପିସିର ଧାରା ୪୯୮ଏ (ଘରେଇ ହିଂସା) ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ପ୍ରୟାସ କରିଛନ୍ତି। ଉତ୍ତରାଖଣ୍ଡ ପୋଲିସ ଏଫଆଇଆରକୁ ଆଇପିସିର ଧାରା ୫୦୪ ଏବଂ ୫୦୬ ମଧ୍ୟରେ ସୀମିତ ରଖିଛି। ଯାହା ଅପରାଧିକ ଧମକ ଏବଂ ଉଦ୍ଦେଶ୍ୟମୂଳକ ଅପମାନ ସହିତ ଜଡିତ। ରାଜପୁରରେ ଥାନାଧିକାରୀ ସିଂହ-ଦେଓ ପରିବାର ଦ୍ୱାରା ପ୍ରଭାବିତ ହୋଇଥିବା ଅଦ୍ରିଜା ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ଅଦ୍ରିଜା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏବଂ ଉତ୍ତରାଖଣ୍ଡ ପୁଲିସ ଡିଜିଙ୍କୁ ଭେଟିଛନ୍ତି। ଫଳରେ ଧାମୀଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅଦ୍ରିଜା ସହାୟତା ମାଗିଛନ୍ତି।

Leave A Reply

Your email address will not be published.