ଭୁବନେଶ୍ୱର:ଓଲିଉଡରେ କାଷ୍ଟିଂ କାଉଚକୁ ନେଇ ପୁଣି ତେଜିଲା ବିବାଦ । ମୁହାଁମୁହିଁ ହୋଇଛି ପ୍ରଯୋଜକ-ଅଭିନେତ୍ରୀ । ଏମିତିକି କାଷ୍ଟିଂକାଉଚକୁ ନେଇ ହ୍ୱାଟସଅପ ଚାଟିଂ ମଧ୍ୟ ଭାଇରାଲ ହୋଇଛି । ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଗତକାଲି ସାଂଘାତିକ ଅଭିଯୋଗ ଆଣିଥିବାବେଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏହାକୁ ସମର୍ଥନ କରିଛନ୍ତି । ଅନ୍ୟପକ୍ଷେ ଏପରି ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିବା ସହ ବ୍ୟକ୍ତିଗତ ରାଗ ସୁଝାଇବା ପାଇଁ ତାଙ୍କୁ ବଦନାମ କରାଯାଉଛି ବୋଲି କହିଛନ୍ତି ।
ଭାଇରାଲ ହୋଇଥିବା ହ୍ୱାଟସଅପ ଚାଟିଂରେ ଅଭିନେତ୍ରୀ ଜସ୍ମିନ ରଥ ଲେଖିଛନ୍ତି- ସୁଟିଂ ପରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି । ଏପରିକି ଏହି ନିମନ୍ତ୍ରଣ ରକ୍ଷା ନ କରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରି ଦିଆଯାଇଛି । ସେ ଆହୁରି ଲେଖିଛନ୍ତି, ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରା ଯାଉଛି । ହେଲେ ଏମିତି ପ୍ରଶ୍ନ କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟଏକ ଅଭିଯୋଗ ସେ ଆଣି ଏଥିରେ ଲେଖିଛନ୍ତି, ପ୍ରତିଥର ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରିବା ସହ ଅବାନ୍ତର କଥାସବୁ ପଚାରୁଛନ୍ତି । ଏହା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଏକପ୍ରକାର ମାନସିକ ନିର୍ଯାତନା ବୋଲି କହିଛନ୍ତି ଜାସ୍ମିନ ରଥ ।
ହ୍ୱାଟସଅପ ଗ୍ରୁପରେ ଥିବା ଅନ୍ୟ କଳାକାରମାନେ ଏହା ଉପରେ ମତ ରଖିଛନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ର ଏହାକୁ ସମର୍ଥନ କରିବା ସହ ଏହାକୁ ସାମ୍ନାକୁ ଆଣିଥିବାରୁ ଧନ୍ୟବାଦ ଦେଇଛନ୍ତି ।
ଅନ୍ୟପକ୍ଷେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ । ସେ କହିଛନ୍ତି, ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ମୋ ନାଁରେ ମିଛ ଅଭିଯୋଗ ଆଣିଛନ୍ତି । ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି ବୋଲି ସଞ୍ଜୟ କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି । ବାବୁସାନ ମାମଲାରେ ମୋ ଉପରେ ରାଗ ରଖିଥିଲେ ପ୍ରକୃତି । ମୁରବି ଭାବରେ ସାହାଯ୍ୟ କରିଥିଲି ଏବଂ କାହା ଘର ଭାଙ୍ଗନି ବୋଲି କହିଥିଲି । ସେଥିପାଇଁ ଗୋଟେ ଗ୍ରୁପ୍ ମୋତେ ବଦନାମ କରିବାକୁ ଷଡ୍ଯନ୍ତ୍ର କରିଛନ୍ତି ବୋଲି ସଞ୍ଜୟ ନାୟକ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କ ବିରୋଧରେ ପ୍ରମାଣ ଥିଲେ ଦେଖାଅ ବୋଲି ସେ ଚାଲେଞ୍ଜ ଦେଇଛନ୍ତି ।
ପ୍ରଯୋଜକ ସଞ୍ଜୟ ନାୟକଙ୍କ ଧମକର ଜବାବ ଦେବାକୁ ଯାଇ ଅଭିନେତ୍ରୀ ଜସ୍ମିନ ରଥ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସଞ୍ଜୟ ନାୟକ ମିଛ କଥା କହୁଛନ୍ତି । ମୋତେ ସେ ହୋଟେଲକୁ ଡାକିଥିଲେ । ଏ ନେଇ ସେ ମଧ୍ୟ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।
Comments are closed.