Latest Odisha News

BREAKING NEWS

ଚାଉଳ ଆଣିବାକୁ ଯାଇ ଜୀବନ ବିପଦରେ, ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ

କୋରାପୁଟ : ଚାଉଳ ଆଣିଲେ ଜୀବନ ବଞ୍ଚିବ । ହେଲେ ଚାଉଳ ଆଣିବାକୁ ଗଲେ ଜୀବନ ବିପଦରେ । ଏମିତି ଦ୍ୱନ୍ଦ୍ୱର ଦୋଛକିରେ ଜୀବନ । ଏ ସମସ୍ୟା ଦୁର୍ଗମ ଇଲାକାର । ଏ ଦୁଃଖ ଅସହାୟ ମଣିଷର । ଚାଉଳ ଆଣିବାକୁ ଯାଇ ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ । ଘରକୁ ଫେରିବାରେ ବର୍ଷା ସାଜିଛି ବାଧକ । ଗଛ ମୂଳେ ଭୋକ ଉପସାରେ ପିଲାଛୁଆଙ୍କ ସହ ଭିଜି ଭିଜି ପଡି ରହିଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ।

ଗତକାଲି ସକାଳ ୭ଟାରୁ ଚାଉଳ ନେବାପାଇଁ ମୁରାନ ନଦୀ ପାର ହୋଇ ଦୁଆରସୁଣୀ ପଞ୍ଚାୟତ କାର୍ଯ୍ୟାଳୟକୁ ଶହେରୁ ଊର୍ଦ୍ଧ୍ୱ ହିତାଧିକାରୀ ଯାଇଥିଲେ। ଦିନ ତମାମ ଅପେକ୍ଷା ପରେ ଅପରାହ୍ନ ୪ଟା ବେଳେ ଚାଉଳ ପାଇଥିଲେ। ହେଲେ ବର୍ଷା ପବନ କାରଣରୁ ଚାଉଳ ଧରି ନଦୀ ପାର ହୋଇ ସେମାନେ ନିଜ ଗାଁକୁ ଫେରି ପାରି ନଥିଲେ । ସମସ୍ତେ ନଦୀ ଆରପଟେ ରହି ଯାଇଥିଲେ ।  ହିତାଧିକାରୀ ମାନେ  ହଳଦୀ ଶୀଲ,ପଟିଆ ସିଲ, ମଣ୍ଡି ଘାଟି, କସା କେନ୍ଦୁ,ଏବଂ ନାର ଗାଁ  ଅଞ୍ଚଳର । ଅନେକ ମହିଳା ନିଜ ନିଜ ଛୋଟ ଛୁଆକୁ ଘରେ ଛାଡ଼ି ଆସିଥିବା ବେଳେ ରାତି ୧୧ ଟା ହୋଇଥିଲେ ବି ନିଜ ଘରକୁ ଫେରିପାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଉଛି ଏତେ ଅସୁବିଧା ସମୟରେ ହିତାଧିକାରୀ ମାନେ ସ୍ଥାନୀୟ ସରପଞ୍ଚ ଏବଂ ଲୋକପ୍ରତିନିଧିଙ୍କୁ ଯୋଗାଯୋଗ କରିଥିଲେ ବି କେହି ଏମାନଙ୍କ କଥା ଶୁଣିନଥିବା କହିଛନ୍ତି । ପରେ ଏମାନଙ୍କ ଦୁରବସ୍ଥା ଦେଖି ମୁରାନ ଡ୍ୟାମର ଜଣେ ଗାର୍ଡ  ସମସ୍ତ ହିତାଧିକାରୀଙ୍କୁ ଏକ ନିରାପଦ ସ୍ଥାନରେ ଆଶ୍ରୟ ଦେଇଥିଲେ। ବର୍ଷା ଛାଡିଲେ ଏମାନେ ଘରକୁ ଫେରିବେ ବୋଲି ଅପେକ୍ଷା କରିଛନ୍ତି ।

ପଞ୍ଚାୟତବାସୀଙ୍କ ଏ ସମସ୍ୟା ଆଜିର ନୁହେଁ । ଚାଉଳ ଆଣିବା ପାଇଁ ନଦୀପାର ହୋଇ ଯିବାକୁ ପଡ଼ିଥାଏ ।  ନଦୀ ଏପଟେ  ଚାଉଳ ଯୋଗାଇ ଦେବାକୁ   ହିତାଧିକାରୀମାନେ ବାରମ୍ବାର ଦାବି କରି ଆସୁଛନ୍ତି । ପୂର୍ବରୁ ଗ୍ରାମ ନିକଟରେ ହିତାଧିକାରୀଙ୍କୁ ଚାଉଳ ଦେବାପାଇଁ ସ୍ଥାନୀୟବାସୀ ପଞ୍ଚାୟତରେ ଲିଖିତ ଆକାରରେ ଦେଇଥିଲେ ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ତେବେ ଗ୍ରାମ ନିକଟରେ ଚାଉଳ ଯୋଗାଇ ଦେବା ପାଇଁ ଗଣମାଧ୍ୟମ ଜରିଆରେ ସହାୟତା ଲୋଡ଼ିଛନ୍ତି ହିତାଧିକାରୀ  ।

Leave A Reply

Your email address will not be published.