ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି । ତାଙ୍କର ପରିଚୟ ବୁଲୁ ମହାରଣା ବୋଲି ଜଣାପଡିଛି ।
ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, ସମରେନ୍ଦ୍ର ନାଥ ସାହା ଏବଂ ଗାୟତ୍ରୀ ଦେବରାଜ । ଜ୍ୟୋତି ବିହାରରେ ଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ କରାଯିବା ସହ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ଉ ହୋଇଛି ।
ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସହରରେ ଥିବା ଏହି ଶିକ୍ଷାନୁଷ୍ଠାନକୁ ନାକ୍ ପକ୍ଷରୁ ପରିଦର୍ଶନରେ ୬ ଜଣିଆ ଟିମ୍ ଯାଇଥିଲା । ଏଥିରେ ପ୍ରଫେସର ବୁଲୁ ମହାରଣା ସାମିଲ ଥିଲେ ।
ସେହି ଅନୁଷ୍ଠାନର ରେଟିଂ ବୃଦ୍ଧି କରିବାକୁ ଏହି ଟିମ୍ ଲାଞ୍ଚ ଦାବି କରିଥିଲେ । ନାକ ରେଟିଂରେ A++ ଗ୍ରେଡ୍ ପାଇବା ପାଇଁ ଏହି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ‘ନାକ’ ଟିମର ସଦସ୍ୟଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ସୁନା ଓ ମୋବାଇଲ୍ ଫୋନ୍ ଲାଞ୍ଚ ଭାବେ ଦିଆଯାଇଥିଲା । ଏନେଇ ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ନଗଦ ୩୭ ଲକ୍ଷ ଟଙ୍କା, ୬ଟି ଲାପଟପ୍ ଏବଂ ଆଇଫୋନ୍ ୧୬ ପ୍ରୋ ମୋବାଇଲ୍ ଜବତ କରାଯାଇଛି ।
Comments are closed.