Latest Odisha News

BREAKING NEWS

ସନ୍ଦେହରେ ସନ୍ଦୀପ, ସିବିଆଇ କରିପାରେ ପଲିଗ୍ରାଫ ଟେଷ୍ଟ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଅପେକ୍ଷା ଅଧିକ ଚର୍ଚ୍ଚିତ ହୋଇଛନ୍ତି ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦେହ ଘେରକୁ ଆସିଛି ସନ୍ଦୀପ ଘୋଷଙ୍କ ଭୂମିକା । ସିବିଆଇ ତାଙ୍କୁ ଲଗାତର ଜେରା କରୁଛି । ଲଗାତର ଷଷ୍ଠ ଦିନ ସନ୍ଦୀପଙ୍କୁ ପଚରାଉଚରା କରିଛି ସିବିଆଇ । ସୁପ୍ରିମକୋର୍ଟ ମଧ୍ୟ ସନ୍ଦୀପ ଘୋଷଙ୍କ କାର୍ଯ୍ୟକଳାପକୁ ପ୍ରଶ୍ନ କରିଛନ୍ତି । ଏଣେ ସିବିଆଇର ଅନେକ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ହୋଇନଥିବାରୁ ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ କରିପାରେ ସିବିଆଇ ।

ଅଭିଯୋଗ ପରେ ଅଭିଯୋଗ

ସନ୍ଦୀପ ଘୋଷଙ୍କ ପାଇଁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସନ୍ଦୀପଙ୍କ ବିରୋଧରେ ଆସୁଛି ଅଭିଯୋଗ ପରେ ଅଭିଯୋଗ । ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଂଟ୍ ସନ୍ଦୀପଙ୍କ ବିରୋଧରେ ଆଣିଛନ୍ତି ଆର୍ଥିକ ଅନିୟମିତତାର ଅଭିଯୋଗ । ଏଥିପାଇଁ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଦାବି କରି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ପୂର୍ବତନ ଡେପୁଟି ସୁପରିଟେଣ୍ଡେଂଟ୍ ଅଖତର ଅଲ୍ଲୀ । ଆର.ଜି କର ମେଡିକାଲ କଲେଜର ଅଧ୍ୟକ୍ଷ ଥିବା ବେଳେ ସନ୍ଦୀପ ଘୋଷ ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିଲେ ଓ ଏ ସଂପର୍କରେ ସେ ୨୦୨୩ରେ ପଶ୍ଚିମବଙ୍ଗ ସରକାରଙ୍କୁ ଜଣାଇଥିଲେ ବୋଲି ପୂର୍ବରୁ କହିଥିଲେ ଅଖତର ଅଲ୍ଲୀ । ସନ୍ଦୀପ ଘୋଷ ଅଜଣା ମୃତଦେହ ବିକ୍ରି କରିବା ସହ ଆହୁରି ଅନେକ ବେଆଇନ୍ କାର୍ଯ୍ୟକଳାପରେ ଜଡିତ ଥିଲେ ବୋଲି ଗଣମାଧ୍ୟମକୁ ଅଖତର ଅଲ୍ଲୀ କହିଛନ୍ତି ।

ସିବିଆଇ ଫୋକସରେ ସନ୍ଦୀପଙ୍କ ଭୂମିକା

ଜୁନିଅର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ସମୟରେ ସନ୍ଦୀପ ଘୋଷ ଥିଲେ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲ୍ । ସନ୍ଦୀପ ଘୋଷଙ୍କ ଭୂମିକା ଉପରେ ସୁପ୍ରିମକୋର୍ଟ ପଚାରିଥିବା ପ୍ରଶ୍ନ ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ମଧ୍ୟ ଅଡୁଆ ସୃଷ୍ଟି କରିଛି । ସିବିଆଇ ମୁଖ୍ୟତଃ ୪ଟି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଖୋଜୁଛି । ଘଟଣା ସଂପର୍କରେ ସୂଚନା ମିଳିଲା ପରେ ପ୍ରିନ୍ସିପାଲ୍ କ’ଣ କରିଥିଲେ? ଘଟଣା ପରେ ସନ୍ଦୀପ ଘୋଷ କେଉଁମାନଙ୍କ ସହିତ କଥା ହୋଇଥିଲେ? ପୀଡିତାଙ୍କ ମୃତଦେହ ହସ୍ତାନ୍ତର ପାଇଁ ପରିବାର ଲୋକଙ୍କୁ କାହିଁକି ୩ ଘଣ୍ଟା ଅପେକ୍ଷା କରାଇଲେ? କାହାର ଆଦେଶରେ ସେମିନାର ହଲ୍ ନିକଟରେ ସେ ରିନୋଭେସନ ପାଇଁ ଆଦେଶ ଦେଇଥିଲେ? ଏହି ଚାରି ପ୍ରଶ୍ନ ସହ ସନ୍ଦୀପଙ୍କୁ ଘେରିଛି ସିବିଆଇ । ସନ୍ଦୀପ ଘୋଷଙ୍କ ବୟାନ ସହ ଅନ୍ୟ ଲୋକଙ୍କ ବୟାନର ତାଳମେଳ ରହୁନଥିବାରୁ ସିବିଆଇର ସନ୍ଦେହ ବଢିବାରେ ଲାଗିଛି । ତେଣୁ ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍ ପାଇଁ ସିବିଆଇ ବିଚାର କରୁଥିବା ଜଣାପଡିଛି ।

ଆର.ଜି କରରେ ସିଆଇଏସଏଫ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆଇଏସଏଫ୍ ଯବାନ ମୁତୟନ ହୋଇଛନ୍ତି । କୋର୍ଟ ଆଦେଶରେ ସିଆଇଏସଫ୍ ମୁତୟନ କରାଯାଇଛି । ବିକ୍ଷୋଭକାରୀ ଡାକ୍ତର ଓ ଛାତ୍ରମାନେ ସିଆଇଏସଫ୍ ମୁତୟନ ପାଇଁ କୋର୍ଟ ଆଦେଶକୁ ସ୍ୱାଗତ କରିଛନ୍ତି । ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶବ୍ୟାପୀ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି ।

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ଖୋଲାଚିଠି

ଭାରତୀୟ ବଂଶୋଦ୍ଭବ ଡାକ୍ତରମାନେ ଆର.ଜି କର ମେଡିକାଲ କଲେଜ ଘଟଣା ନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଛନ୍ତି ଖୋଲା ଚିଠି । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅପିଲ୍ କରିଛନ୍ତି । ଆର.ଜି କର ଘଟଣା ବ୍ୟବସ୍ଥାଗତ ବିଫଳତା ବୋଲି ଭାରତୀୟ ବଂଶୋଦ୍ଭବ ଡାକ୍ତରମାନେ କହିଛନ୍ତି ।

Comments are closed.