Latest Odisha News

ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନୀତି: ଆଇନଜୀବୀ ଦେବକାନ୍ତ ମହାନ୍ତିଙ୍କୁ ୩ ଘଣ୍ଟା ଜେରା କଲା ସିବିଆଇ

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଭୁବନେଶ୍ୱର କାର୍ଯ୍ୟାଳୟରେ ସରକାରୀ ଓକିଲ ଦେବକାନ୍ତ ମହାନ୍ତିଙ୍କୁ ପଚରାଉଚରା କରିଛି। ଅର୍ଥତତ୍ତ୍ୱ (ଏଟି) ଗ୍ରୁପ୍ ଚିଟଫଣ୍ଡ ମାମଲାରେ ଦେବକାନ୍ତ ମହାନ୍ତିଙ୍କୁ ସିବିଆଇ ସିଆରପିସିର ଧାରା ୧୬୦ ଅନୁଯାୟୀ ନୋଟିସ୍ ଜାରି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେବକାନ୍ତ ମହାନ୍ତି ଅପରାହ୍ନ ୩ଟାରେ ସିବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସମେତ ସିବିଆଇର ୩ ଜଣ ଅଧିକାରୀ ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ ତାଙ୍କୁ ୩ ଘଣ୍ଟା ଧରି ପଚରାଉଚରା କରିଥିଲେ। ସନ୍ଧ୍ୟା ୬ଟାରେ ସେ ସିବିଆଇ କାର୍ଯ୍ୟାଳୟରୁ ବାହାରିଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସିବିଆଇ ଏହି ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କୁ ଗିରଫ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଟି ଗ୍ରୁପ୍ ସହ ଜଡ଼ିତ ଚିଟଫଣ୍ଡ୍ ଦୁର୍ନୀତିର ମନି ଲଣ୍ଡରିଂ ଦିଗ ଉପରେ ମଧ୍ୟ ତଦନ୍ତ କରୁଛି।

ଗତ ମାର୍ଚ୍ଚ ୧୩ ତାରିଖରେ ଇଡି ବ୍ୟବସାୟୀ ବିନୀତ ଲାଲାନିଙ୍କୁ ପଚରାଉଚରା କରିବା ପରେ ଭୁବନେଶ୍ୱରର ୬ଟି ଏବଂ ବ୍ରହ୍ମପୁର ଓ ଛତ୍ରପୁରର ଗୋଟିଏ ଲେଖାଏଁ ସ୍ଥାନରେ ଚଢ଼ାଉ କରିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ସାଗର ରାୟଙ୍କୁ ମଧ୍ୟ ଇଡି ପଚରାଉଚରା କରିଥିଲା।

ଚଢ଼ାଉ ସମୟରେ ଇଡି ନଗଦ ୨୩ ଲକ୍ଷ ଟଙ୍କା, ୩୫ ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ କାର, ୨୪.୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ବିକ୍ରୟ ଦସ୍ତାବିଜ, ବ୍ୟାଙ୍କ ଚେକ୍ ଏବଂ ଡିଜିଟାଲ ପ୍ରମାଣ ଜବତ କରିଛି।

ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଗ୍ରୁପ୍ ଚିଟ୍ ଫଣ୍ଡ୍ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଟିଭି ଚ୍ୟାନେଲ୍ ମାଲିକ ମନୋଜ ଦାସ, ଓଡ଼ିଆ ଦୈନିକ ଖବରକାଗଜ ମାଲିକ ବିକାଶ ସ୍ବାଇଁ, ବିଲ୍ଡର୍ ବିନୀତ ଲାଲାନି ଏବଂ ଏଟି ଗ୍ରୁପ୍ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ ଓ ମନୋଜ ପଟ୍ଟନାୟକଙ୍କୁ ହାଇକୋର୍ଟ ୨୦୧୬ ନଭେମ୍ବର ୧୧ ତାରିଖରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

Comments are closed.