Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ, ଦୁର୍ବଳ ହେଉଛି ବିରୋଧୀଙ୍କ ଏକତାର ମଞ୍ଚ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣ ନିର୍ବାଚନର ବହୁ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଧିକାଂଶ ବିରୋଧୀ ଦଳ ଏକାଠି ହୋଇଥିଲେ। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନ କ୍ରମେ ଦେଶର ୧୭ ବିରୋଧୀ ଏକାଠି ହୋଇଥିଲେ। ଆଉ ଏହି ବିରୋଧୀ ଦଳ ଏକାଠି ହୋଇ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୋଦୀ-ଶାହଙ୍କୁ ଚେକ୍ ଦେବେ ବୋଲି ହୁଙ୍କାର ଭରିଥିଲେ। ଏହାପରେ ଉପରାଷ୍ଟ୍ରପତି ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ମଧ୍ୟ ବିରୋଧୀ ଏକଜୁଟ ହୋଇଥିବାର ନଜିର ନାହିଁ । କାରଣ ୟୁପିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗ୍ରହଣ କରିନଥିଲା ଚିଏମସି। ତେଣୁ ଭୋଟ୍ ଦେଇନଥିଲା। ମାତ୍ର ଦୁଇ ମାସରେ ଏହି ଏକଜୁଟ ହେବାର ନାରା ଯେମିତି ମୌସୁମୀ ବେଳେ ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଏବଂ ଏଥିଯୋଗୁଁ ସୃଷ୍ଟି ହୋଇଥିବା ଲଗାଣ ବନ୍ୟାରେ ଧୋଇ ହୋଇଯାଇଛି।

କାରଣ ଏହାରି ଭିତରେ ସିବିଆଇ ରେଡ୍ କରି ମମତା ବାନାର୍ଜୀଙ୍କ ଦଳର ଦୁଇ ପ୍ରମୁଖ ନେତାଙ୍କୁ ଦୁର୍ନୀତି ମାମଲାରେ ଗିରଫ କରି ସାରିଛି। ସେହିପରି ଗୁଜରାଟ ନିର୍ବାଚନରେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆପ୍ ମଧ୍ୟ ସିବିଆଇ ସ୍କାନରକୁ ଆସିଯାଇଛି। ମହାରାଷ୍ଟ୍ରରେ କ୍ଷମତା ପରିବର୍ତନ ହୋଇସାରିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିବିଆଇ ରେଡ୍ ପରେ ଅନେକ କିଛି ପରିବର୍ତନ ହୋଇଥିଲେ ମଧ୍ୟ କୌଣସି ଦଳର ନେତା ଅନ୍ୟ ଦଳର ନେତା ସିବିଆଇ ରେଡକୁ ନେଇ ଖୋଲାଖୋଲି ମୁହଁ ଖୋଲୁ ନାହାନ୍ତି।

ନିକଟରେ ବିହାରରେ ଏନଡିଏ ସରକାର ଭାଙ୍ଗିଛି। ଏହାପରେ ଆରଜେଡି-ଜେଡିୟୁ-କଂଗ୍ରେସ ଆଦି ଦଳ ମିଶି ମହାମେଣ୍ଟ ସରକାର ଗଢିଛନ୍ତି। ଏନଡିଏ  ସରକାର ଭାଙ୍ଗିବା ପରେ ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ  ହେବେ ବୋଲି ଚର୍ଚ୍ଚା ବଢିଛି। ଆରଜେଡି ନେତା ଏବଂ ଜେଡିୟୁ ନେତା ନାରା ଦେଇସାରିଲେଣି ନୀତୀଶଙ୍କ ପାଇଁ ଦିଲ୍ଲୀ ଆଉ ଦୂର ନୁହେଁ। ଅର୍ଥାତ୍ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ନିକଟରେ ନୀତୀଶ ବିଜେପି ସହ ମେଣ୍ଟ ଭାଙ୍ଗି ସରକାର ଗଢିଛନ୍ତି। ହେଲେ ମମତା କି କେଜ୍ରିଓ୍ୱାଲ ତାଙ୍କୁ ଶୁଭେଚ୍ଛା ଜଣାଇନଥିଲେ।

ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ରାଜ୍ୟ ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ରାଜ୍ୟ । ବିଜେପିର ଗଡ ଭାବେ ଗୁଜରାଟ ପରିଚିତ। ଏଠାରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢି ସରକାର ଗଢିବ ବୋଲି ଦାବି କରିଛି। ଏଥିପାଇଁ ଆପ୍ ଆବାହକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଘନ ଘନ ପ୍ରଚାର କରୁଛନ୍ତି। ଆଉ ୨୦୨୪ରେ ମୋଦୀ ବନାମ କେଜ୍ରିଓ୍ୱାଲ ହେବ ବୋଲି ଘୋଷଣା କରି ସାରିଛି। ଅର୍ଥାତ୍ କେଜ୍ରିଓ୍ୱାଲ ୨୦୨୪ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ଏହାରି ଭିତରେ ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ରେଡ୍ କରିଛି। ଯେଉଁଥିପାଇଁ ଅକଳରେ ପଡିଛି ଆପ୍ । ହେଲେ ଏହି ମାମଲାରେ କୌଣସି ବିରୋଧୀ ଯେପରି କଂଗ୍ରେସ, ଜେଡିୟୁ, ଟିଏମସି, ଆରଜେଡି ଭଳି ପ୍ରମୁଖ ବିରୋଧୀ ଦଳ ଆପକୁ ସମର୍ଥନ କରି ନାହାନ୍ତି। ତେବେ ଏହା ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ରହିଛନ୍ତି। ଜୈନ୍ ଦୁର୍ନୀତି କରିଥିବା ନେଇ ଅନେକ ପ୍ରମାଣ ରହିଛି ବୋଲି କୋର୍ଟ କହି ସାରିଛନ୍ତି।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବାସଭବନରେ ହୋଇଥିବା ଏହି ସିବିଆଇ ରେଡ୍ ପରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି)ର ସାଂସଦ ମନୋଜ ଝା ଗତ ଶୁକ୍ରବାର ଆମ୍ ଆଦମୀ ପାର୍ଟିକୁ ସମାଲୋଚନା କରିଥିଲେ। ଆଉ କହିଥିଲେ ଯେତେବେଳେ ବିରୋଧୀ ଦଳର ନେତାମାନେ ସିବିଆଇ ଚଢ଼ାଉର ଶିକାର ହୁଅନ୍ତି ସେତେବେଳେ ଆମ୍ ଆଦମୀ ପାର୍ଟି ନିରବ ରୁହେ ।

ମମତା ବାନାର୍ଜୀଙ୍କ ଦଳ ଟିଏମସିର ନେତା ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଜେଲ୍ ଯାଇଛନ୍ତି। ଗୋ ଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ମମତା ଯିଏକି ଜିଏସଟି ବୈଠକକୁ ବିରୋଧ କରୁଥିଲେ ସେ ଏହି ବୈଠକରେ ଯୋଗଦେଇଥିଲେ। ଏମିତିକି ସିବିଆଇ ରେଡ୍ ପରେ ଏଯାବତ ନିରବ ରହିଛନ୍ତି। କଂଗ୍ରେସ ଦୁର୍ବଳ ହୋଇଛି। ଏହାର ଫାଇଦା ନେଇ ବିରୋଧୀଙ୍କୁ ଏକାଠି କରି ୨୦୨୪ରେ ମୋଦୀ ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡୁଥିବା ମମତା ଏବେ ନିରବ। ଏମିତିକି ସେ ମୋଦୀଙ୍କ ବିକଳ୍ପ ବୋଲି ଟିଏମସି ବିଭିନ୍ନ ସମୟରେ ବାର୍ତ୍ତା ଦେଇଆସୁଥିଲା। ଏବେ କିନ୍ତୁ ସେ ନିରବ । ସିବିଆଇ ବିଭିନ୍ନ ପ୍ରସଙ୍ଗରେ ରେଡ୍ କରୁଛି। ହେଲେ ଏଯାବତ ସେ ନିରବ ରହିଛନ୍ତି। ଅନେକ ସମୟରେ ସିବିଆଇ ରେଡକୁ ନେଇ ପ୍ରଶ୍ନ ଉଠାଇ ଚର୍ଚ୍ଚାରେ ରହିଆସିଛନ୍ତି ଦିଦି।

ମହାରାଷ୍ଟ୍ର ରାଜନୀତି ତଥା ଦେଶର ଭେଟେରାନ ନେତା ତଥା ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏବେ ନିରବ। ମହାରାଷ୍ଟ୍ରରେ ଶିବସେନା ଦୁଇ ଗୋଷ୍ଠୀର ବିଭାଜନ ହେବା ଏବଂ ଉଦ୍ଧବଙ୍କ ହାତରୁ କ୍ଷମତା ଯିବା ପରେ ନିରବ ରହିଛନ୍ତି ଶରଦ ପାଓ୍ୱାର। ଯାହାଙ୍କ ମାର୍ଗଦର୍ଶନରେ ବିରୋଧୀ ଏକାଠି ହୋଇ ବିଜେପିକୁ ଚେକ୍ ଦେଇପାରିବେ ବୋଲି ରାଜନୈତିକ ପଣ୍ଡିତ ଆକଳନ କରନ୍ତି। ସେହିପରି ଶିବସେନା ନେତା ସଞ୍ଜୟ ରାଓ୍ୱତ ଦୁର୍ନୀତି ମାମଲାରେ ଜେଲ୍ ଯିବା ପରେ ଉଦ୍ଧବ ଶିବିର ନିରବ ହୋଇଯାଇଛି।

ବିଜେପି ବିରୋଧୀ ଦଳର ନେତା ଏବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଦାବି କୁରଛନ୍ତି। ଏଥିପାଇଁ ନିଜ ନିଜ ନେତୃତ୍ୱରେ ଆଞ୍ଚଳିକ ଦଳକୁ ଏକାଠି କରିବାକୁ ଆହ୍ୱନ ମଧ୍ୟ କରୁଛନ୍ତି। ହେଲେ ବିଭିନ୍ନ ସମୟରେ ଦଳ ଗୁଡ଼ିକର ନେତା ଦୁର୍ନୀତି ଅଭିଯୋଗରେ ଫସିବା ପରେ ନିରବ ରହିବା ଦଳ ଦଳ ମଧ୍ୟରେ ରାଜନୈତିକ କନ୍ଦଳ ଯେ ଭର୍ତ୍ତି ହୋଇ ରହିଛି ତାହା ପ୍ରମାଣିତ କରୁଛି।

Comments are closed.