କୋଲକାତା: ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲା, କୋଲକାତାରେ ଟିଏମସି ନେତାଙ୍କ ୭ଟି ଠିକଣାରେ ସିବିଆଇ ଗୁରୁବାର ଚଢ଼ାଉ କରିଛି। ଏପ୍ରିଲ ମାସରେ କୋଲକାତାର ୬ଟି ସ୍ଥାନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ଚଢ଼ଉ କରିଥିଲା। ଏହାପରେ ପୁଣିଥରେ ସିବିଆଇ ସାଂସଦ ଅଭିଷେକ ବାନାର୍ଜୀଙ୍କ ସହଯୋଗୀ ଟିଏମସିର ସୁଜୟ କୃଷ୍ଣ ଭଦ୍ରଙ୍କ ଘରେ ଚଢାଉ କରିଛି। ଦୁଇ ମାସ ପୂର୍ବରୁ ସିବିଆଇରେ ହାଜର ହୋଇ ଦୁର୍ନୀତି ବାବଦରେ ନିଜର ପକ୍ଷ ରଖିଥିଲେ ସୁଜୟ।
ଆଜି ସକାଳୁ ଭଦ୍ରଙ୍କ ବାସଭବନରେ ସିବିଆଇର ଦୁଇଟି ଟିମ୍ ପହଞ୍ଚିବା ପରେ ଏକକାଳୀନ ଚଢାଉ ଆରମ୍ଭ ହୋଇଥିଲା। ସେହି ଅଞ୍ଚଳରେ ଥିବା ତାଙ୍କର ଅନ୍ୟ ଏକ ଘରକୁ ମଧ୍ୟ ଚଢାଉ କରାଯାଇଥିଲା। ଭଦ୍ରଙ୍କ ବାସଭବନ ବ୍ୟତୀତ କୋଲକାତାରେ ଆଉ ୬ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ଏଥିରେ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଟିଏମସି ନେତା ପାର୍ଥ ସରକାର ଓ ସନ୍ତୁ ଗାଙ୍ଗୁଲିଙ୍କ ଘର ମଧ୍ୟ ରହିଛି।
ପୂର୍ବରୁ ଇଡି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ସେହିପରି ଟିଏମସି ନେତା ସୁକାନ୍ତ ଆଚାର୍ଯ୍ୟଙ୍କ ନ୍ୟୁ ବାରାକପୁରସ୍ଥିତ ବାସଭବନରେ ମଧ୍ୟ ଗୁରୁବାର ସକାଳେ ସିବିଆଇ ଚଢ଼ଉ କରିଛି। ଇଡି ଦ୍ୱାରା ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଏହି ମାମଲାରେ ଆଚାର୍ଯ୍ୟଙ୍କ ନାମ ସାମ୍ନାକୁ ଆସିଥିଲା। ଶିକ୍ଷାମନ୍ତ୍ରୀ ଥିବା ସମୟରେ ପାର୍ଥ ଚାଟାର୍ଜୀଙ୍କ ଓଏସଡି ଥିବା ପ୍ରବୀର ବାନାର୍ଜୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ବାରାକପୁରରେ ରାଜ୍ୟ ଯୁବ ତୃଣମୂଳ କଂଗ୍ରେସ ନେତା ଜୟଦୀପ ଦାସଙ୍କୁ ସିବିଆଇର ଅନ୍ୟ ଏକ ଟିମ୍ ଏକକାଳୀନ ପଚରାଉଚରା କରିଛି।
ସୂଚନାଯୋଗ୍ୟ, ସୁଜୟ ଭଦ୍ର ଏକ ଘରୋଇ କମ୍ପାନୀରେ ସିଇଓ ପଦବୀରେ ଅଛନ୍ତି, ଯେଉଁଠି ଅଭିଷେକ ବାନାର୍ଜୀଙ୍କ ବାପା ମା’ଙ୍କ ମଧ୍ୟରୁ ଜଣେ ନିର୍ଦ୍ଦେଶକ ଅଛନ୍ତି। ଅଭିଯୁକ୍ତ ଗୋପାଳ ଦଳପତି ନିଜ ନାଁ ଉଲ୍ଲେଖ କରିବାରୁ ସୁଜୟ ଭଦ୍ର ସନ୍ଦେହ ଘେରକୁ ଆସିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ହେଉଛନ୍ତି ଅଭିଷେକ ବାନାର୍ଜୀ। ଅଭିଷେକଙ୍କ ସହଯୋଗୀ ସୁଜୟ ଭଦ୍ରଙ୍କ ନାଁ ତାପସ ମଣ୍ଡଳ କହିଥିବା ବେଳେ ତାଙ୍କୁ ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ଗତ ମାର୍ଚ୍ଚ ମାସରେ ଭଦ୍ରଙ୍କୁ ଦୁଇ ଦୁଇ ଥର ସିବିଆଇ ସମନ କରି ଜେରା କରିଥିଲା। ପଚରାଉଚରା କରିବାର ଦୁଇ ମାସ ପରେ ଆଜି ସକାଳେ କୋଲକାତାର ବେହାଲାସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ଉ କରିଛି।
Comments are closed.