ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଭିଡିଓ ଭାଇରାଲ୍ କରିବା ଘଟଣାରେ ପୁଲିସ ଗିରଫ କରିଥିବା ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ଏହି ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାଙ୍କୁ କଡା ପ୍ରଶ୍ନ କରିଥିବା ବେଳେ ସଂଧ୍ୟାରେ ସିବିଆଇ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛି।
ଚାରିଜଣ ଅଭିଯୁକ୍ତଙ୍କୁ ମଣିପୁରର ଥୌବଲରେ ଥିବା ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ନିଆଯାଇଥିଲା। କୋର୍ଟ ଅନୁମତି ଦେବା ପରେ ସିବିଆଇ ଅଭିଯୁକ୍ତଙ୍କୁ ଅଗଷ୍ଟ ୨ ତାରିଖ ଯାଏ ନିଜ ହେପାଜତକୁ ନେଇଛି।
ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଉଥିବାର ଏହି ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ଏହି ଘଟଣାର ତଦନ୍ତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ମଣିପୁରର ଏହି ବର୍ବୋରୋଚିତ ଘଟଣାର ଦିନକ ପୂର୍ବରୁ ରାଜ୍ୟର ମୈତେୟୀ ଏବଂ ପାହାଡ଼ କୁକି ଜନଜାତି ମଧ୍ୟରେ ବିବାଦ ଦେଖାଦେଇଛି। ମୈତେୟୀଙ୍କୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିକୁ କୁକି ବିରୋଧ କରିବା ପରେ ହିଂସା ହୋଇଛି।
ବିଜେପି ଶାସିତ ମଣିପୁରରେ ମେ’ ୪ ତାରିଖରୁ ଇଣ୍ଟରନେଟ୍ ବନ୍ଦ ରହିଛି। ରାଜ୍ୟରେ ଏବେ ବି ସ୍ଥିତି ଗମ୍ଭୀର ରହିଛି ବୋଲି ଦୁଇ ଦୁନିଆ ଗସ୍ତରେ ଯାଇ ଦିଲ୍ଲୀ ଫେରିଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦ କହିଛନ୍ତି। କୁକି ଜନଜାତି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଜାତିଗତ ହିଂସାରେ ପାଖାପାଖି ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆଭ୍ୟନ୍ତରୀଣ ଭାବେ ବିସ୍ଥାପିତ ହୋଇ ଏବେ ରିଲିଫ କ୍ୟାମ୍ପରେ ରହୁଛନ୍ତି।
Comments are closed.