Latest Odisha News

ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ: ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଡେରାବିଶ: ନିଷ୍ଠୁର ହୋଇଗଲେ ସିଡିପିଓ। ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ନଦେବାରୁ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ।  ଶେଷରେ ଜନ୍ମ ପୂର୍ବରୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ।

ଏଠାରେ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର କିରାଣୀ ଭାବରେ କାର୍ଯ୍ୟରତ ଥିଲେ। ସେ ୭ ମାସର ଗର୍ଭବତୀ ଥିଲେ। ଗର୍ଭବତୀ ଥିଲେ ମଧ୍ୟ ସେ ପ୍ରତିଦିନ କାର୍ଯ୍ୟାଳୟ ଆସି କାମ କରୁଥିଲେ। ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଅବସ୍ଥାରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି, ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ବର୍ଷା ଅଭିଯୋଗ କରିଛନ୍ତି । ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡ଼ିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ବର୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

 

Comments are closed.