Latest Odisha News

୨୦୨୪ ନିର୍ବାଚନ ପରେ ଜନଗଣନା ସହ ସ୍ଥିର ହେବ ସୀମା ନିର୍ଦ୍ଧାରଣ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବା ପାଇଁ ଜନଗଣନା କରାଯିବ। ଠିକ୍ ନିର୍ବାଚନ ପରେ ଏହା ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ପରବର୍ତ୍ତୀ ସରକାର ଏହି ପରିସୀମା ନିର୍ଦ୍ଧାରଣ କାର୍ଯ୍ୟ କରିବେ।

ମହିଳା ସଂରକ୍ଷଣ ବିଲ୍ ଆଣିବା ପ୍ରକ୍ରିୟା ଏବଂ ସମୟ ବାବଦରେ ଶାହା କହିଛନ୍ତି, ୧/୩ ସିଟ୍ ମହିଳା ସାଂସଦଙ୍କ ପାଇଁ ସଂରକ୍ଷିତ ହେବ। ତେଣୁ ସେହି ସିଟ୍ କିଏ ସ୍ଥିର କରିବ? ପ୍ରଶ୍ନ ଉଠୁଛି ସ୍ୱଚ୍ଛତାକୁ ନେଇ। କେହି କାହାର ପକ୍ଷ ନେବା ଉଚିତ ନୁହେଁ।

ସୋସିଆଲ ମିଡିଆରେ କିଛି ଲୋକ କହୁଛନ୍ତି ଯେ ଓବିସି ଓ ମୁସଲମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହି ବିଲ୍କୁ ସମର୍ଥନ କରିବା ଉଚିତ ନୁହେଁ। ଯଦି ଆପଣ ଏହି ବିଲ୍କୁ ସମର୍ଥନ ନ କରନ୍ତି, ତେବେ ସଂରକ୍ଷଣ ଶୀଘ୍ର ହେବ କି? ଯଦି ଆପଣ ଏହି ବିଲ୍କୁ ସମର୍ଥନ କରିବେ, ତା’ହେଲେ ଅନ୍ତତଃ ଗ୍ୟାରେଣ୍ଟି ମିଳିବ ବୋଲି ସେ କହିଛନ୍ତି।

ସୁପ୍ରିମକୋର୍ଟର ଜଣେ ବିଚାରପତି, ନିର୍ବାଚନ କମିସନଙ୍କ ଜଣେ ପ୍ରତିନିଧି ଓ ପ୍ରତ୍ୟେକ ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ସୀମା ନିର୍ଦ୍ଧାରଣ କମିସନରେ ସାମିଲ ହେବେ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହିଳା ସଂରକ୍ଷଣ ବିଧେୟକ ଦେଶରେ ନିଷ୍ପତ୍ତି ଗ୍ରହଣ ଏବଂ ନୀତି ନିର୍ଦ୍ଧାରଣରେ ମହିଳାଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବ।

ମହିଳା ସଂରକ୍ଷଣ ବିଲ୍ ଅନୁଯାୟୀ, ଆଗାମୀ ଜନସଂଖ୍ୟା ଗଣନା ଶେଷ ହେବା ପରେ ହେବାକୁ ଥିବା ଲୋକସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପରେ ଏହା କାର୍ଯ୍ୟକାରୀ ହେବ।

ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍ ଆଣିବା ଏହା ପ୍ରଥମ ଘଟଣା ନୁହେଁ। ମହିଳା ସଂରକ୍ଷଣ ବିଲ୍ ଆଣିବା ପାଇଁ ଏହା ହେଉଛି ପଞ୍ଚମ ପ୍ରୟାସ। ଦେବଗୌଡ଼ାଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଚାରିଥର ଏହି ବିଲ୍ ଆଣିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏହି ବିଲ୍ ପାସ୍ ନହେବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ମଙ୍ଗଳବାର ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆଗତ ହୋଇଥିଲା। ଯାହା ଆଜି ପାରିତ ହୋଇଛି।

ଭାରତରେ ୯୦ ସଚିବଙ୍କ ମଧ୍ୟରେ ୩ ଓବିସି ଥିବା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଖଣ୍ଡନ କରି ଅମିତ ଶାହ କହିଛନ୍ତି, କିଛି ଲୋକ ଭାବନ୍ତି ସଚିବମାନେ ଦେଶ ଚଳାନ୍ତି, କିନ୍ତୁ ମୁଁ ଭାବୁଛି ସରକାର ଚଳାନ୍ତି। ସେହିପରି ଓବିସି ବର୍ଗରୁ ୮୫ ଜଣ ବିଜେପି ସାଂସଦ ଓ ୨୯ ଜଣ ମନ୍ତ୍ରୀ ଅଛନ୍ତି ବୋଲି ସେ କହିଛନ୍ତି।

ଲୋକସଭାରେ ଅମିତ ଶାହ ମହିଳା ସଂରକ୍ଷଣକୁ ସର୍ବସମ୍ମତି କ୍ରମେ ପାରିତ କରିବା ପାଇଁ ଅନୁରୋଧ କରିବା ସହିତ ବିରୋଧୀଙ୍କୁ ନିବେଦନ କରିଥିଲେ ଯେ ଯଦି କିଛି ତ୍ରୁଟି ଥାଏ, ତାହାକୁ ପରେ ସୁଧାରି ହେବ।

Leave A Reply

Your email address will not be published.