Latest Odisha News

BREAKING NEWS

ଚିଲିକାରେ ପ୍ରଥମ ୱାଟର୍ ଏରୋଡ୍ରମ୍ ପାଇଁ ମିଳିଲା ସବୁଜ ସଙ୍କେତ

ଭୁବନେଶ୍ୱର : ଚିଲିକାର ନୀଳ ଜଳରାଶି ଭିତରେ ପ୍ରଥମ ୱାଟର୍ ଏରୋଡ୍ରମ୍ ପ୍ରତିଷ୍ଠା ନେଇ ହୋଇଥିବା ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି । ସୁତରାଂ ଚିଲିକା ଭିତରେ ଜଳ ବିମାନ ବନ୍ଦର ବା ସି ପ୍ଲେନ୍ ପାଇଁ ସବୁଜ ସଙ୍କେତ ମିଳିଯାଇଛି । ଡିଜିସିଏ ପକ୍ଷରୁ ପୂର୍ବରୁ ୱାଟର୍ ଏରୋଡ୍ରମ୍ ନେଇ ଜୁନ୍ ମାସରେ ଏକ ନିୟମାବଳୀ ଜାରି ହୋଇଥିଲା ।

ଚିଲିକା ସମେତ ଗୁଜୁରାଟର ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମରେ ଏହି ‘ୱାଟର୍ ଏରୋଡ୍ରମ୍’ ପାଇଲଟ ପ୍ରକଳ୍ପ ଭାବେ ନିର୍ମାଣ ହେବ । ଏହି ବିମାନ ବନ୍ଦର ପାଇଁ ଦୁଇ ବର୍ଷିଆ ଲାଇସେନ୍ସ ଅନୁମତି ଦେବାକୁ ଯୋଜନା ହୋଇଥିବାବେଳେ ବର୍ତ୍ତମାନ ସମୟରେ ୬ମାସ ପାଇଁ ଅସ୍ଥାୟୀ ଅନୁମତି ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।

ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଜଳ ଭିତରେ ବିମାନ ବନ୍ଦର ନିର୍ମାଣ ପାଇଁ ଓଡିଶା, ଗୁଜୁରାଟ, ଆସାମ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶର କେତୋଟି ସ୍ଥାନ ଚିହ୍ନଟ କରିଛନ୍ତି । କିନ୍ତୁ ଉପରୋକ୍ତ ୩ଟି ସ୍ଥାନରେ ଏହି ଯୋଜନା ସଫଳ ହେଲେ ଅନ୍ୟ ସ୍ଥାନରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

ୱାଟର୍ ଏରୋଡ୍ରମ୍ ନିର୍ମାଣକୁ ସବୁଜ ସଙ୍କେତ ମିଳିବା ପରେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ୱିଟ୍ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.