Latest Odisha News

ବିଜେଡି ସମର୍ଥନରେ ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ ୨୦୨୩ ଲୋକସଭା ପରେ ଆଜି ରାଜ୍ଯସଭାରେ ପାରିତ ହୋଇଛି। ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ସମର୍ଥନରେ ୧୩୧ରୁ ୧୦୨ ଭୋଟରେ ରାଜ୍ୟସଭାରେ ପାରିତ ହୋଇଛି। ଏହାପରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ବିଜେପିକୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ଚାହୁଁଥିବା ନିଜର ନେତା ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀରେ ଲଗାତର ଏକାଧିକ ନିର୍ବାଚନ ହାରିବା ପରେ ବିଜେପି ପ୍ରତିକ୍ରିୟାଶୀଳ ହୋଇ ଏଭଳି ଆଇନ୍ ଆଣିଛି।

କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି, ଏହି ବିଲ୍ ପାରିତ କରିବା ପାଇଁ ବିଜେପିର କୌଣସି ସାମ୍ବିଧାନିକ କିମ୍ବା ନୈତିକ ଅଧିକାର ନାହିଁ। ୨୫ ବର୍ଷ ପୂର୍ବେ ଆପଣ ଏକ ନିର୍ବାଚନ (ଦିଲ୍ଲୀରେ) ଜିତିଥିଲେ, ଆପଣଙ୍କର କ’ଣ ନୈତିକ ଅଧିକାର ଅଛି? ଏହି ବିଲ୍କୁ ସରକାର ଦିଲ୍ଲୀ ପାଇଁ ଏକ ମଡେଲ୍ ବୋଲି ଭାବୁଛନ୍ତି। ସେମାନେ ଜମ୍ମୁ-କଶ୍ମୀର ପାଇଁ ଏକ ମଡେଲ ଉଦ୍ଭାବନ କରିଥିଲେ ଯାହା ଆଜି ଅଦାଲତରେ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଦିଲ୍ଲୀ ସର୍ଭିସ ବିଲ୍ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ କରୁନାହିଁ, ଯେଉଁଥିରେ କୁହାଯାଇଛି ଯେ ନିର୍ବାଚିତ ସରକାର ହିଁ ଦିଲ୍ଲୀର ମାଲିକ।

ଅମିତ ଶାହ କହିଛନ୍ତି ଯେ ଏହି ବିଲ୍ ଦିଲ୍ଲୀ ସରକାରଙ୍କୁ ସେତିକି କ୍ଷମତା ପ୍ରଦାନ କରୁଛି, ଯାହା କଂଗ୍ରେସ ଶାସନ ସମୟରେ ଥିଲା। କଂଗ୍ରେସ ଏବେ “ଆମ ଆଦମୀ ପାର୍ଟିକୁ ସନ୍ତୁଷ୍ଟ କରିବା ପାଇଁ” ଏହି ବିଲ୍କୁ ବିରୋଧ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଏବେ ଆପର କୋଳରେ ବସିଛନ୍ତି।

ପ୍ରସ୍ତାବିତ ଆଇନ ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଆମ୍ ଆଦମୀ ପାର୍ଟି ସପ୍ତାହ ଧରି ଏହା ବିରୋଧରେ ପ୍ରଚାର ଚଳାଇଥିଲା ଏବଂ ଚଳିତ ମୌସୁମୀ ଅଧିବେଶନରେ ଆଗତ ହେବାକୁ ଥିବା ଏହି ବିଲ୍ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିଛି। ଆପ୍ ଯୁକ୍ତି ଦର୍ଶାଇଛି ଯେ ପ୍ରସ୍ତାବିତ ଆଇନ୍ ଏପରି ଏକ ନଜିର ସୃଷ୍ଟି କରିବ ଯାହା କୌଣସି ବିରୋଧୀ ଶାସିତ ରାଜ୍ୟକୁ ତା’ର ଶାସନ କ୍ଷମତାରୁ ଛଡାଇ ନେବା ପାଇଁ ବ୍ୟବହୃତ ହୋଇପାରିବ, ନିର୍ବାଚିତ ସରକାରଙ୍କୁ ଏକପାଖିଆ କରିଦେବ।

ପ୍ରସ୍ତାବିତ ଆଇନରେ ଅମଲାତନ୍ତ୍ର ଓ କର୍ମଚାରୀଙ୍କ ନିଯୁକ୍ତି, ବଦଳି ଆଦି କ୍ଷମତା କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଉପରାଜ୍ୟପାଳଙ୍କ ହାତରେ ରହିଛି।

ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି ଯୁକ୍ତି ବାଢିଛି ଯେ ନୂଆ ନିୟମ ଏପରି ଏକ ନଜିର ସୃଷ୍ଟି କରିବ ଯାହା ଫଳରେ କେନ୍ଦ୍ର ସରକାର ଯେକୌଣସି ରାଜ୍ୟର ନିର୍ବାଚିତ ସରକାରଙ୍କୁ ପଛରେ ପକାଇ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ। ବିଜେପିକୁ ପ୍ରତ୍ୟାଖ୍ୟାନ କରି ଦୁଇ ଦୁଇ ଥର ଆପ୍କୁ ବିପୁଳ ଜନାଦେଶ ଦେଇ ନିର୍ବାଚିତ କରିଥିବା ଦିଲ୍ଲୀବାସୀଙ୍କ ପ୍ରତି ଏହା ଏକ ପ୍ରତାରଣା ବୋଲି ଦଳ ପକ୍ଷରୁ କୁହାଯାଇଛି।

Comments are closed.