Latest Odisha News

BREAKING NEWS

ମିଳିଲା କେନ୍ଦ୍ର ଅନୁମତି: ବନିବ ମନମୋହନଙ୍କ ସ୍ମାରକୀ..ହେଲେ ଅଡିଛି କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତିମ ବିଦାୟ ନେଉଛନ୍ତି ଅର୍ଥନୀତି ଚାଣକ୍ୟ ତଥା ଦେଶଷର ୧୩ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ନିଗମ ବୋଧ ଘାଟିରେ ମନମୋହନଙ୍କ ପାର୍ଥିବ ଶରୀରକୁ ଭାବପୂର୍ଣ୍ଣ ବିଦାୟ ଦେଉଛନ୍ତି ପରିବାର ଲୋକେ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି । ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ଲୀନ ହେବ ଡ. ସିଂଙ୍କ ପାର୍ଥୀବ ଶରୀର ।

ତେବେ ଏହାରି ଭିତରେ ଜଣେ ଶାନ୍ତ, ସୌମ୍ୟ, ସରଳ ଆଉ ଅମାୟିକ ବ୍ୟକ୍ତିତ୍ୱର ମଣିଷଟେ ପାଇଁ ସ୍ମାରକ ସ୍ଥଳ ନିର୍ମାଣ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା । ଆଉ ଗତକାଲି ବିଳମ୍ବିତ ରାତିରେ ଏହାକୁ ଅନୁମୋଦିତ କରିଛନ୍ତି କେନ୍ଦ୍ର ସରକାର । ମନମୋହନ ସିଂହଙ୍କ ପାଇଁ ଦିଲ୍ଲୀରେ ସ୍ମାରକ ସ୍ଥଳ ନିର୍ମାଣ କରାଯିବା ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମସଂସ୍କାର ହେବା ପରେ ମନମୋହନଙ୍କ ପାଇଁ ଦିଲ୍ଲୀରେ ସ୍ମାରକସ୍ଥଳ ନିର୍ମାଣ କରାଯିବ। ଏଥିପାଇଁ ଜାଗା ଯୋଗାଇ ଦେବା ନେଇ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି। ଟ୍ରଷ୍ଟ ଗଠନ ଓ ସ୍ଥାନ ନିରୂପଣ ପାଇଁ ସମୟ ଆବଶ୍ୟକ ଥିବାରୁ ଶେଷକୃତ୍ୟ ପରେ ସମସ୍ତ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକସ୍ଥଳୀ ନିର୍ମାଣ ପାଇଁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ସ୍ଥାନ ନିର୍ଦ୍ଧାରଣ ହେବା ପରେ ସେହି ସ୍ଥାନରେ ହିଁ ତାଙ୍କର ସ୍ମାରକୀ ନିର୍ମିତ ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚାଇ ଦିଆଯାଇଛି ।

ଅନ୍ୟପଟେରେ କିନ୍ତୁ ଏହାକୁ ନେଇ ଅସନ୍ତୁଷ୍ଟ ହୋଇଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । କ’ଣ ପାଇଁ କେନ୍ଦ୍ର ତୁରନ୍ତ ସ୍ଥାନ ନିରୂପଣ କଲା ନାହିଁ ତାଙ୍କୁ ନେଇ ପ୍ରଶ୍ନ ଉଠାଇଛି । ଏନେଇ କଂଗ୍ରେସଚ କହିବା କଥା, ଅନ୍ତିମ ସଂସ୍କାର ସ୍ଥାନରେ ସ୍ମାରକସ୍ଥଳ ନିର୍ମାଣ ହୋଇଥାଏ । ହେଲେ କେନ୍ଦ୍ର କାହିଁକି ସ୍ଥାନ ଖୋଜି ପାଇଲା ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି କରି କେନ୍ଦ୍ର ସରକାର ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀଙ୍କୁ ଅପମାନ ଦେିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଯାହାର କଡା ଜବାବ ରଖିଛି ବିଜେପି ।

ଏହାକୁ ନେଇ ବିଜେପି କହିଛି, ମନମୋହନ ସିଂହଙ୍କ ଦେହାନ୍ତଙ୍କୁ ନେଇ କଂଗ୍ରେସ ହୀନ ରାଜନୀତି କରିବା ବନ୍ଦ କରୁ । ଏଥିସହିତ କଂଗ୍ରେସ ଏଭଳି ବୟାନକୁ ନିନ୍ଦା କରିବା ସହ ବିଜେପି କହିଛି, କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିମା ରାଓଙ୍କୁ କିପରି ବ୍ୟବହାର କରିଥିଲା ତାହା ଯେପରି କଥା କଂଗ୍ରେସ ଯେପରି ଭୁଲି ନଯାଉ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାରରେ ସେମାନେ ଥାଇ ମଧ୍ୟ ନିରସିମା ରାସଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କରିପାରିଲା ନାହିଁ । ଏମିତିକି ରାଓଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ହେଉ ବୋଲି ମଧ୍ୟ କଂଗ୍ରେସ ଚାହୁଁନଥିବା ଅଭିଯୋଗ କରିଛି ବିଜେପି ।

ତେବେ କହିରଖୁଛୁ, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଲାଗି ଏକ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଚିଠି ଲେଖିଥିଲେ । ଯେଉଁଥିରେ ମନମୋହନଙ୍କୁ ଭାରତର ମହାନ ପୁଅ ବୋଲି ବର୍ଣ୍ଣନା କରି ଖଡଗେ ଲେଖିଥିଲେ, ତାଙ୍କ ପାଇଁ ଏକ ସ୍ମାରକସ୍ଥଳ ନିର୍ମାଣ କରାଗଲେ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ରାଷ୍ଟ୍ରନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ଲାଗି ସେମାନଙ୍କ ଅନ୍ତିମ ସଂସ୍କାର ସ୍ଥଳରେ ସ୍ମାରକସ୍ଥଳ ପ୍ରତିଷ୍ଠା କରାଯାଇଛି। ତେଣୁ ସରକାର ଅନ୍ତିମ ସଂସ୍କାର ପାଇଁ ଏଭଳି ଏକ ସ୍ଥାନ ଚୟନ କରନ୍ତୁ ଯେଉଁଠାରେ ପରେ ସ୍ମାରକସ୍ଥଳ ନିର୍ମାଣ ହୋଇପାରିବ । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କରାଯାଇନଥିବା ବେଳେ ଏହାକୁ ନେଇ ତାଜିଛି ରାଜନୀତି ।

Comments are closed.