Latest Odisha News

ରାଜଧାନୀ ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ: ଏହିସବୁ ଯାନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ 

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ବା ଏୟାର କ୍ୱାଲିଟି ଅଧିକ ଖରାପ ହୋଇଯାଇଛି। ଆଜି ସକାଳେ ଏକ୍ୟୁଆଇ ୪୫୮ ରହିଥିଲା। ଏହି କାରଣରୁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଅତ୍ୟାବଶ୍ୟକ ନ ଥିବା ନିର୍ମାଣ କାର୍ଯ୍ୟ, ବିଏସ୍ ୩ ପେଟ୍ରୋଲ ଓ ବିଏସ୍ ୪ ଡିଜେଲ ଚାଳିତ ୪ ଚକିଆ ଯାନ ଯାତାୟତ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।ଏଥିସହ ଦିଲ୍ଲୀ-ଏନ୍‌ସିଆର୍‌ରେ କୁହୁଡ଼ି ସହିତ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ର ତୃତୀୟ ପର୍ଯ୍ୟାୟର ପ୍ରତିବନ୍ଧକ ବା GRAP 3 କାର୍ଯ୍ୟକାରୀ ହୋଇଛି।

ଗତକାଲି ସନ୍ଧ୍ୟାରୁ ଦିଲ୍ଲୀ-ଏନ୍‌ସିଆର୍‌ର ବାୟୁ ଗୁଣବତ୍ତା ହଠାତ୍‌ ଖରାପ ଅବସ୍ଥାକୁ ଗତି କରିଥିଲା। ଏହାକୁ ଦୃଷ୍ଟିରେ ରଖି GRAP 3 କାର୍ଯ୍ୟ ପାଇଁ ସିଏକ୍ୟୁଏମ୍‌ ଉପ କମିଟି ଜରୁରିକାଳୀନ ବୈଠକ ଡାକିଥିଲା। ଆଜି ସକାଳେ ଉପ-କମିଟି ସମଗ୍ର ଏନ୍‌ସିଆରରେ ୮-ସୂତ୍ରୀ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।

ଆଜି ଦିଲ୍ଲୀରେ ଏତେମାତ୍ରାରେ କୁହୁଡି ଥିଲା ଯେ, ସଡକରେ ବହୁ ଦୂର ପର୍ଯ୍ୟନ୍ତ କିଛି ବି ଦେଖା ଯାଉ ନ ଥିଲା । ଏହାର ବେଶ୍ ପ୍ରଭାବ ଯାତାୟତ ଉପରେ ପଡିଥିଲା । ଘନ କୁହୁଡି କାରଣରୁ ଦେଶର ବିଭିନ୍ନ ଭାଗରୁ ଦିଲ୍ଲୀକୁ ଆସୁଥିବା ୨୨ଟି ଟ୍ରେନ ବିଳମ୍ବ ଥିଲା । ସକାଳ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିଲା ଓ ଥଣ୍ଡା ପବନ ସହିତ ଘନ କୁହୁଡି ସମସ୍ୟାକୁ ଅଧିକ ବଢାଇ ଦେଇଥିଲା ।

Comments are closed.