Latest Odisha News

୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ର ସରକାର ଅଶ୍ଳୀଳ, ଅସଭ୍ୟ ଏବଂ କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍‌ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଏଲ ମୁଋଗନ । ଶିବସେନା-ୟୁବିଟି ସଦସ୍ୟ ଅନିଲ ଦେସାଇଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଲ ମୁଋଗନ କହିଛନ୍ତି ଯେ, ଅଶ୍ଳୀଳ ଏବଂ ପର୍ଣ୍ଣୋଗ୍ରାଫିକ୍‌ କଣ୍ଟେଟ ରୋକିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁଋଗନ୍ କହିଛନ୍ତି, “ଅଶ୍ଳୀଳ ତଥା ପର୍ଣ୍ଣୋଗ୍ରାଫିକ୍‌ କଣ୍ଟେଟକୁ ରୋକିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଶ୍ଳୀଳ ତଥା କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍‌ କଣ୍ଟେଟ କାରଣରୁ ଗତ ୨୦୨୪ ମାର୍ଚ୍ଚ ୧୨ ତାରିଖରେ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ କରିଛି । ସେହିପରି ଭାରତରେ ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି, ଆପଲ୍ ଆପ୍ ଷ୍ଟୋରରେ ୩ଟି) ଏବଂ ଏହି ପ୍ଲାଟଫର୍ମ ସହ ଜଡ଼ିତ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ସର୍ବସାଧାରଣଙ୍କ ନଦେଖିବା ପାଇଁ ଅଚଳ କରାଯାଇଛି।

ଏହି ବିଷୟବସ୍ତୁ ଗୁଡିକ ଆଇଟି ଆଇନର ଧାରା ୬୭ ଓ ୬୭ଏ, ଆଇପିସିର ଧାରା ୨୯୨ ଏବଂ ଅଶ୍ଳୀଳ ମହିଳା ପ୍ରତିନିଧି (ନିଷେଧ) ଆଇନ, ୧୯୮୬ର ଧାରା ୪ର ଉଲ୍ଲଂଘନ ବୋଲି ପ୍ରାଥମିକ ଦୃଷ୍ଟିରୁ ନିର୍ଦ୍ଧାରଣ କରାଯାଇଥିଲା। ଗୁଗୁଲ୍ ପ୍ଲେ ଷ୍ଟୋରରେ ଗୋଟିଏ ଓଟିଟି ଆପ୍ ୧ କୋଟିରୁ ଅଧିକ ଡାଉନଲୋଡ୍ ହୋଇଥିବା ବେଳେ ଅନ୍ୟ ଦୁଇଟି ଆପ୍ ୫୦ ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଛି। ସମ୍ପୃକ୍ତ ଓଟିଟି ପ୍ଲାଟଫର୍ମର ସୋସିଆଲ ମିଡିଆ ଆକାଉଣ୍ଟରେ ସମୁଦାୟ ୩୨ ଲକ୍ଷରୁ ଅଧିକ ଉପଭୋକ୍ତା ଥିଲେ।

Leave A Reply

Your email address will not be published.