Latest Odisha News

କାଲିଠୁ ସଂସଦରେ ଶୀତ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ନଭେମ୍ବର ୨୫ରୁ ଅର୍ଥାତ୍ ଆସନ୍ତାକାଲି ଠାରୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଶୀତ ଅଧିବେଶନ ପୂର୍ବରୁ ଆଜି ବସିଯାଇଛି ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଆବାହକତ୍ଵରେ ସଂସଦ ଭବନରେ ରବିବାର ଏହି ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଥିଲା।

ଏଥିରେ ବିରୋଧୀ କଂଗ୍ରେସ ଯୋଗ ଦେବା ସହିତ ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଉପରେ ଆଲୋଚନା ପାଇଁ ଦୃଢ ଦାବି କରିଛି। ଏଥିସହିତ ମଣିପୁର ହିଂସା, ଉତ୍ତର ଭାରତରେ ପ୍ରଦୂଷଣ ଏବଂ ଟ୍ରେନ ଦୁର୍ଘଟଣା ସଂକ୍ରାନ୍ତରେ ଅଧିବେଶନରେ ଆଲୋଚନା ପାଇଁ ଦାବି କରାଯାଇଛି।

ତେବେ ନଭେମ୍ବର ୨୫ ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ମୋଟ ୧୬ଟି ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ଏଥିରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଓ୍ବାକଫ (ସଂଶୋଧନ) ବିଲ୍ ମଧ୍ୟ ରହିଛି। ଓ୍ବାକଫ (ସଂଶୋଧନ) ବିଲକୁ ବିଭିନ୍ନ ଦଳ ବିରୋଧ କରୁଥିବାରୁ ଏହାକୁ ନେଇ ଗୃହରେ ହଙ୍ଗାମା ନେଇ ପୂର୍ବାନୁମାନ କରାଯାଇଛି । ଓ୍ବାକଫ(ସଂଶୋଧନ) ବିଲ୍‌ ଏବଂ ମୁସଲମାନ ଓ୍ବାକଫ (ଉଚ୍ଛେଦ) ବିଲ୍ ଲୋକସଭାରେ ବିଚାରାଧୀନ ରହିଥିବା ବେଳେ ଏଥର ଏହା ଉପରେ ମୋହର ମାରିପାରନ୍ତି କେନ୍ଦ୍ରସରକାର । ଯାହାକୁ ବିରୋଧୀ ଦୃଢ ପ୍ରତିବାଦ କରୁଛନ୍ତି ।

Comments are closed.