Latest Odisha News

BREAKING NEWS

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୧ ରୁ ଲାଗୁ ହେବ ନୂଆ ପେନସନ ନିୟମ

ନୂଆଦିଲ୍ଲୀ: କେନ୍ଦ୍ରିୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତ୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ ଦିଆଯାଇଥାଏ ।

ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଚାକିରିରେ ସର୍ବନିମ୍ନ ୭ ବର୍ଷ ପୂରଣ କରିଥିଲେ ପାରିବାରିକ ପେନସନ ଶେଷ ଦରମାର ୫୦% ବର୍ଦ୍ଧିତ ଦରରେ ୧୦ ବର୍ଷର ଅବଧି ଲାଗି ଦିଆଯାଇଥାଏ; ଏହାପରେ ପାରିବାରିକ ପେନସନ ଶେଷ ଦରମାର ୩୦% ହାରରେ ପ୍ରଦାନ କରାଯାଇଥାଏ ।

ତେବେ ଚାକିରି କରିବାର ୭ ବର୍ଷ ମଧ୍ୟରେ ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତା’ହେଲେ ତାଙ୍କ ପରିବାରକୁ ୩୦% ହାରରେ ପାରିବାରିକ ପେନସନ ମିଳିଥାଏ । ଏପରି କ୍ଷେତ୍ରରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି ।

ତେବେ କେନ୍ଦ୍ର ସରକାର ଏହା ହୃଦବୋଧ କରିଛନ୍ତି ଯେ ପ୍ରାରମ୍ଭିକ କାର୍ଯ୍ୟକାଳ ସମୟରେ ସରକାରୀ କର୍ମଚାରୀଙ୍କ ଦରମା କମ ହୋଇଥିବା କାରଣରୁ ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ବର୍ଦ୍ଧିତ ହାରରେ ପାରିବାରିକ ପେନସନ ପ୍ରଦାନ କରାଯିବାର ଅଧିକ ଆବଶ୍ୟକତା ରହିଛି ।

ତେଣୁ ସରକାର କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ରେ ସଂଶୋଧନ କରି ଏକ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ସଂଶୋଧିତ ନିୟମ ୫୪ ଅନୁଯାୟୀ, ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ, ୧୦ ବର୍ଷର ଅବଧି ଲାଗି ଶେଷ ଦରମାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇପାରିବେ ।

ଏହି ସଂଶୋଧନ ୧ ଅକ୍ଟୋବର, ୨୦୧୯ ଠାରୁ ଲାଗୁ ହେବା ନେଇ ସୂଚନା ମିଳିଛି । ତେବେ ପାରିବାରିକ ପେନସନ ପାଇଁ ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁବରଣ କରୁଥିବା କେନ୍ଦ୍ରୀୟ ସଶସ୍ତ୍ରଆରକ୍ଷୀ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ଏହି ସଂଶୋଧିତ ନିୟମର ସୁବିଧାର ଲାଭ ପାଇପାରିବେ ।

Comments are closed.