ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଦେଶରେ ଭଡ଼ା ଘରକୁ ନେଇ ଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୧୯୬୭ର ପୁରୁଣା ଆଇନକୁ ବଦଳାଇ ସରକାର ଏବେ ‘ଆଦର୍ଶ ଭଡ଼ାଟିଆ ଆଇନ’ (Model Tenancy Act) ଆଣିଛନ୍ତି। ଏହି ନୂଆ ଆଇନ ଫଳରେ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ଥିବା ସମ୍ପର୍କ ଆହୁରି ସ୍ୱଚ୍ଛ ଓ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ଏହି ନୂଆ ବ୍ୟବସ୍ଥାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଏଣିକି କେବଳ ପାଟିରେ କହି ଭଡ଼ା ଦେବା ବା ମୌଖିକ ସହମତି ଚଳିବ ନାହିଁ। ମୌଖିକ ଚୁକ୍ତି ବଦଳରେ ଲିଖିତ ଭଡ଼ା ଚୁକ୍ତିକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ୍ ମଧ୍ୟ ରହିବ, ଯେଉଁଠାରେ ପ୍ରତ୍ୟେକ ଚୁକ୍ତିର ଡିଜିଟାଲ୍ ପଞ୍ଜିକରଣ କରାଯାଇ ଏକ ‘ୟୁନିକ୍ ଆଇଡି’ ପ୍ରଦାନ କରାଯିବ।
ଏହି ଆଇନ ଅନୁସାରେ, ଭଡ଼ା ଦର ଓ ଭଡ଼ା ବୃଦ୍ଧି ଉଭୟ ମାଲିକ ଏବଂ ଭଡ଼ାଟିଆଙ୍କ ପାରସ୍ପରିକ ସହମତି ଭିତ୍ତିରେ ସ୍ଥିର କରାଯାଇ ଚୁକ୍ତିନାମାରେ ଉଲ୍ଲେଖ କରାଯିବ। ଏହା ବ୍ୟତୀତ ସିକ୍ୟୁରିଟି ଡିପୋଜିଟ୍, ଘର ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ରହିବ, ସେ ନେଇ ମଧ୍ୟ ସ୍ପଷ୍ଟ ନିୟମ ପ୍ରଣୟନ କରାଯାଇଛି। ଭଡ଼ା ଦେବା ପରେ ମାଲିକ ରସିଦ ଦେବାକୁ ବାଧ୍ୟ ହେବେ। ସେହିପରି ମାଲିକଙ୍କ ଅନୁମତି ବିନା ଭଡ଼ାଟିଆ ଘରକୁ ଅନ୍ୟ କାହାକୁ ଭଡ଼ାରେ ଦେଇପାରିବେ ନାହିଁ।
ଘର ଖାଲି ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ:
ଅନେକ ସମୟରେ ଚୁକ୍ତି ସରିବା ପରେ ମଧ୍ୟ ଭଡ଼ାଟିଆ ଘର ଖାଲି କରନ୍ତି ନାହିଁ। ଏହାର ସମାଧାନ ପାଇଁ ନୂଆ ଆଇନରେ ବ୍ୟବସ୍ଥା ଅଛି। ଯଦି ଚୁକ୍ତି ସରିବା ପରେ ବି ଭଡ଼ାଟିଆ ଘର ଛାଡୁନାହାନ୍ତି, ତେବେ ଘର ମାଲିକଙ୍କୁ ବର୍ଦ୍ଧିତ ହାରରେ ଭଡ଼ା ପାଇବା ପାଇଁ ଅଧିକାର ମିଳିବ।
ଶୀଘ୍ର ମିଳିବ ନ୍ୟାୟ:
ଭଡ଼ା ସମ୍ପର୍କିତ ବିବାଦର ସମାଧାନ ପାଇଁ ଆଉ ବର୍ଷ ବର୍ଷ ଧରି ଅଦାଲତର ଦ୍ୱାରସ୍ଥ ହେବାକୁ ପଡ଼ିବ ନାହିଁ। ଏଥିପାଇଁ ସ୍ୱତନ୍ତ୍ର ଭଡ଼ା ପ୍ରାଧିକରଣ, ଭଡ଼ା ନ୍ୟାୟାଳୟ ଏବଂ ନ୍ୟାୟାଧିକରଣ ଗଠନ କରାଯାଇଛି। ଏହାଦ୍ୱାରା ମାମଲାର ତ୍ୱରିତ ଶୁଣାଣି ହୋଇପାରିବ।
ଏହି ନୂଆ ଆଇନ ଦ୍ୱାରା ଦେଶର ବିଭିନ୍ନ ସହରରେ ଖାଲି ପଡ଼ିଥିବା ପ୍ରାୟ ୧ କୋଟିରୁ ଅଧିକ ଘର ଭଡ଼ା ପାଇଁ ଉପଲବ୍ଧ ହେବ ବୋଲି ସରକାର ଆକଳନ କରିଛନ୍ତି। ଏହା କେବଳ ଅଦାଲତର ବୋଝ କମାଇବ ନାହିଁ, ବରଂ ଭଡ଼ା ବଜାରରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।