Latest Odisha News

BREAKING NEWS

କୋୱିନ ପୋର୍ଟାଲ ସମ୍ପୂର୍ଣ୍ଣ ସୁରକ୍ଷିତ, କୋଭିଡ ଜନିତ କୌଣସି ତଥ୍ୟ ଲିକ ହୋଇନି-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଲିକ ହେଉଛି କୋଭିଡ ଟିକା ଜନିତ ତଥ୍ୟ । ଟେଲିଗ୍ରାମ୍‌ ବୋଟ୍‌ ଦ୍ୱାରା ଡାଟା ଏପଟସେପଟ ହୋଇଥିବା କୁହାଯାଇଛି । ଏମିତି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । କୋଭିଡ ଜନିତ କୌଣସି  ତଥ୍ୟ ଲିକ୍‌ କରାଯାଇ ନାହିଁ ଏବଂ ଏପରି ଅଭିଯୋଗକୁ  ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି ।

ଟିଏମସି ମୁଖପାତ୍ର ସାକେତ୍‌ ଗୋଖଲେ ଟ୍ୱିଟ୍ କରି କହିଛନ୍ତି, କେନ୍ଦ୍ର ସରକାରରେ ଏକ ବଡ଼ ତଥ୍ୟ ଉଲ୍ଲଂଘନ ହୋଇଛି । କରୋନାରୁ ବଞ୍ଚିବା ପାଇଁ ଟିକା ନେଇଥିବା ସମସ୍ତ ଭାରତୀୟଙ୍କ ମୋବାଇଲ୍ ନମ୍ବର, ଆଧାର ନମ୍ବର, ପାସପୋର୍ଟ ନମ୍ବର, ଭୋଟର ପରିଚୟ ପତ୍ର, ସମ୍ବନ୍ଧିତ ତଥ୍ୟ ଏବେ ଟେଲିଗ୍ରାମ ବୋଟରେ ଉପଲବ୍ଧ । ବହୁ ବଡ ନେତାଙ୍କ ସୂଚନା ମଧ୍ୟ ଲିକ୍ ହୋଇଛି । ଯେଉଁଥିରେ ଟିଏମସି ନେତା ଡେରେକ ଓବ୍ରାଇନ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍, କଂଗ୍ରେସ ନେତା ଜୟରାମ ରମେଶ ଏବଂ କେ ବେନୁଗୋପାଲ୍ ଇତ୍ୟାଦିଙ୍କ ନାମ ସାମିଲ ଅଛନ୍ତି ।। ଟେଲିଗ୍ରାମ ବୋଟ୍‌ରେ ସମସ୍ତ ତଥ୍ୟ ଏବେ ମାଗଣାରେ ମିଳିଯାଉଥିବା ସେ କହିଛନ୍ତି ।

ତେବେ ଏ ନେଇ ଟେଲିଗ୍ରାମ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସି ନ ଥିବାବେଳେ  କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି, କୋୱିନ୍‌ ପକ୍ଷରୁ ଭେକ୍ସିନେସନ୍‌ ରେଜିଷ୍ଟ୍ରେସନ୍‌ରେ ଡେଟ୍‌ ଅଫ୍‌ ବାର୍ଥ ଓ ଘରର ଠିକଣା ଆଦି ତଥ୍ୟ ସଂଗ୍ରହ କରାଯାଏ ନାହିଁ ।   କୋୱିନ୍‌ ପୋର୍ଟାଲ୍ କେବଳ ଟିକାକରଣ ସମ୍ମନ୍ଧିତ ତଥ୍ୟ ସଂଗ୍ରହ କରିଥାଏ । ଫାଷ୍ଟ ଡୋଜ୍, ସେକେଣ୍ଡ୍ ଡୋଜ୍ ‌ଓ ବୁଷ୍ଟର ଡୋଜ୍ ସମ୍ପର୍କରେ ତଥ୍ୟ ରଖେ  ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କୋ-ୱିନ ପୋର୍ଟାଲରେ କୋଭିଡ ସଂକ୍ରାନ୍ତ ସମସ୍ତ ତଥ୍ୟ ସୁରକ୍ଷିତ ରହିଛି । କେବଳ ଓଟିପି ଦ୍ୱାରା ହିଁ ଏହାର ଡାଟା ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.