Latest Odisha News

BREAKING NEWS

ଫସଲ ବୀମାକୁ ନେଇ ରାଜ୍ୟ ଉପରେ ଦୋଷ ଝାଡ଼ି ହେଲା କେନ୍ଦ୍ର

ଭୁବନେଶ୍ୱର: ମରୁଡ଼ି ପାଇଁ ଚାଷୀଙ୍କ ଫସଲ ଗଲା । ଆକଳନ କରି କ୍ଷତିପୂରଣ ନଦେଇ ଚୁପ୍ ବସିଲା ପ୍ରଶାସନ । ଫସଲ ବୀମା କ୍ଲେମ୍ ପରେ ବି ଚାଷୀଙ୍କୁ ମିଳିଲାନି ଟଙ୍କା । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପଦ୍ମପୁର ଉପନିର୍ବାଚନକୁ ବେଶ୍ ଉଷ୍ମ କରିଛି । ଫସଲ ବୀମାକୁ ରାଜନୈତିକ କାଦୁଅ ଫିଙ୍ଗା ଜାରି ରହିଥିବା ବେଳେ ନଭେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମରୁଡ଼ି ଅଞ୍ଚଳ ପାଇଁ ୨୦୦ କୋଟିର ଇନପୁଟ୍ ସହାୟତା ଘୋଷଣା କରିଥିଲେ ।

ଯାହାକୁ ନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ତୋମାର ଚିଠିରେ ଲେଖିଛନ୍ତି, ଖରିଫ୍-୨୦୨୦ ପରିବର୍ତ୍ତିତ ନିୟମାବଳୀ ଅନୁଯାୟୀ କ୍ଲେମ ପରେ ସମୟରେ ଅର୍ଥ ରାଶି ଦିଆଯାଉଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ୍ ଅନୁସାରେ କମ୍ପାନୀ ଚୟନ ରାଜ୍ୟର ଇଚ୍ଛାଧୀନ ।

ରାଜ୍ୟର ଅନେକ ଚାଷୀଙ୍କୁ ଫସଲ ବୀମା କ୍ଲେମ୍ ନ ମଳିବା ନେଇ ତୋମାର କହିଛନ୍ତି, ଏନେଇ ୨୦୨୨ ଜୁଲାଇ ୪ ତାରିଖରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଯଦି ବୀମା କମ୍ପାନୀ ଦ୍ୱାରା କୌଣସି କ୍ଲେମର ସମାଧାନ ହେଉନାହିଁ ତାହା ରାଜ୍ୟର ବୈଷୟିକ ଉପଦେଷ୍ଟା କମିଟି ଦ୍ୱାରା କରାଯିବା କଥା । ଏବଂ ରାଜ୍ୟ ବୈଷୟିକ ଉପଦେଷ୍ଟା କମିଟି ୧୮୯ଟି ମାମଲାର ସମାଧାନ କରିଛି ।

ଏନେଇ ବାରମ୍ବାର ବୈଠକ ହୋଇଥିବା ବେଳେ କ୍ଲେମ୍ ପ୍ରକ୍ରିୟା ଚଳିତ ସପ୍ତାହ ଶେଷ ସୁଦ୍ଧା ସରିଯିବ । ୯ଟି ଜିଲ୍ଲାରୁ ଆସିଥିବା ୭୨୩ କୋଟି କ୍ଲେମ୍ ମଧ୍ୟରୁ ୬୨୨ କୋଟି ଟଙ୍କା ଦିଆଯାଇ ଥିବା ତୋମାର ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ କେନ୍ଦ୍ରର ଗାଇଡଲାଇନ୍ ସତ୍ତ୍ୱେ ରାଜ୍ୟ ବୈଷୟିକ ଉପଦେଷ୍ଟା କମିଟି କାମ କରି ନଥିବା ତୋମାର ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.