ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ତେବେ ନିଷ୍ପତ୍ତି ଅନୁସାରେ ଟିକା ପ୍ରସ୍ତୁତକାରୀ କମ୍ପାନୀ ଉତ୍ପାଦନର ୫୦ ପ୍ରତିଶତ କେନ୍ଦ୍ରକୁ ଓ ବାକି ୫୦ ପ୍ରତିଶତ ରାଜ୍ୟ ଏବଂ ଘରୋଇ ହସ୍ପିଟାଲକୁ ଦେବେ । ତଦନୁସାରେ କେନ୍ଦ୍ର ଦେଉଥିବା ଭ୍ୟାକ୍ସିନ୍ କେବଳେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । କେନ୍ଦ୍ର ଦେଉଥିବା ଟିକା କେବଳ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ ।
ଏଥିସହ ରାଜ୍ୟ ସରକାର, ଘରୋଇ ହସ୍ପିଟାଲ ଦ୍ୱାରା ଯୋଗାଣ କରାଯାଉଥିବା ଟିକା ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି ଲେଖି ଅବଗତ କରାଇଛନ୍ତି । ଇତିମଧ୍ୟରେ ୧୮ରୁ ୪୪ ବର୍ଷ ସମସ୍ତଙ୍କୁ ମାଗଣା ଟିକା ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.