Latest Odisha News

ଅଶ୍ୱୀନ-ଜାଡେଜାଙ୍କ ରେକର୍ଡ ପାର୍ଟନରଶିପ: ଭାରତ ୩୩୯/୬

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟ ବିନିମୟରେ ୩୩୯ ରନ ସଂଗ୍ରହ କରିଛି । ଅଶ୍ୱୀନ ୧୦୨ ଓ ଜାଡେଜା ୮୬ ରନ କରି ଅପରାଜିତ ରହିଛନ୍ତି । ଟେଷ୍ଟ କ୍ରିକେଟରେ ୨୦ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର ଏବଂ ୩୦ ଥର ୫ରୁ ଅଧିକ ୱିକେଟ ହାସଲ କରି ଅଶ୍ୱୀନ ରେକର୍ଡ କରିଛନ୍ତି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତର ବଡ ସ୍କୋର କରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଅଧିନାୟକ ରୋହିତ ଶର୍ମା(୬), ଶୁଭମନ ଗିଲ(୦), ବିରାଟ କୋହଲି(୬) ଓ କେଏଲ ରାହୁଲ ୧୬ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଯଶସ୍ୱୀ ଜୈସୱାଲ(୫୬), ରିଷଭ ପନ୍ତ ୩୯ ରନ ସଂଗ୍ରହ କରିଥିଲେ ।

୧୪୪ ରନରେ ଟିମ ଇଣ୍ଡିଆର ୬ଟି ୱିକେଟର ପତନ ଘଟିଥିଲା । ଏହା ପରେ ଅଶ୍ୱୀନ ଓ ଜାଡେଜା ୭ମ ୱିକେଟରେ ୧୯୫ ରନର ଅପରାଜିତ ପାର୍ଟନରଶିପ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ ପ୍ରଥମ ଦିବସରେ ଏହା ୭ମ ୱିକେଟରେ ସର୍ବାଧିକ ପାର୍ଟନରଶିପ । ପୂର୍ବରୁ ଜେସ ରାଇଡର ଓ ଡାନିଏଲ ଭିଟ୍ଟୋରୀ ଭାରତ ବିପକ୍ଷରେ ୧୮୬ ରନ ଯୋଗ କରିଥିଲେ । ବାଂଲାଦେଶ ପକ୍ଷରୁ ହାସନ ମେହମୁଦ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଅଶ୍ୱୀନଙ୍କ ଏହା ୪ର୍ଥ ଏବଂ ଓଭରାଲ ଷଷ୍ଠ ଶତକ । ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି କେବଳ ଭିଟ୍ଟୋରୀ(୫) ତାଙ୍କଠାରୁ ଅଧିକ ଶତକ ହାସଲ କରିଛନ୍ତି ।

Leave A Reply

Your email address will not be published.