Latest Odisha News

BREAKING NEWS

ଶତାବ୍ଦୀର ପୁରୁଣା ହେରିଟେଜ୍ ଷ୍ଟିମ୍ ଲୋକୋମୋଟିଭର ପୁନଃ ନିର୍ମାଣ

ପୁରୀ : ପୁରୀ ବିଏନଆର ହୋଟେଲରେ ରଖାଯାଇଥିବା ଶତାବ୍ଦୀର ପୁରୁଣା ହେରିଟେଜ୍ ଷ୍ଟିମ୍ ଲୋକୋମୋଟିଭ୍ PL-୬୯୨କୁ ପୂର୍ବତଟ ରେଳବାଇ ଦ୍ବାରା ମରାମତି ଏବଂ ରକ୍ଷଣାବେକ୍ଷଣ କରାଯାଇଛି । ପୁରୀ ଏବଂ ଏହାର ଆଖପାଖରେ ଥିବା ଲୁଣିଆ ବାୟୁ ଇଞ୍ଜିନକୁ ସଂପୂର୍ଣ୍ଣ ଭାବେ କଳଙ୍କି କରିଦେଇଥିଲା । ଇଞ୍ଜିନର ଛାତ ଖରାପ ହୋଇ ଯାଇଥିଲା । ବଏଲର ରୁମ୍ ମଧ୍ୟ ନଷ୍ଟ ହୋଇଥିଲା । ତେଣୁ ଏହାର ରକ୍ଷଣାବେକ୍ଷଣ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା ।

ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ବା ଆଇଆରସିଟିସି, ବିଏନଆର ହୋଟେଲରେ ପହଞ୍ଚି ଏହି ଷ୍ଟିମ୍ ଲୋକୋମୋଟିଭର ପରିଚାଳନା କରିଥିଲେ । ହେଲେ ଆଇଆରସିଟିସିରେ ଲୋକୋମୋଟିଭ୍ ରକ୍ଷଣା ବେକ୍ଷଣରେ ସମ୍ବଳ ଏବଂ ବୈଷୟିକ ଜ୍ଞାନର ଅଭାବ ଥିବାରୁ ଏହାର ମରାମତି ପାଇଁ ପୂର୍ବତଟ ରେଳବାଇକୁ ଅନୁରୋଧ କରାଯାଇଥିଲା ।

ହୋଟେଲ ମ୍ୟାନେଜମେଣ୍ଟ ଏବଂ ଆଇଆରସିଟିସିର ଅନୁରୋଧ କ୍ରମେ ହେରିଟେଜ୍ ଷ୍ଟିମ୍ ଲୋକୋର ଆବଶ୍ୟକୀୟ ଅଂଶ ମରାମତି ପାଇଁ ପୂର୍ବତଟ ରେଳ ପଦକ୍ଷେପ ନେଇଛି । ବିଭିନ୍ନ ପ୍ଲେଟର ୱେଲଡିଂ କରାଯାଇ ପୁରୁଣା ଇଞ୍ଜିନକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ଶତାବ୍ଦୀର ପୁରୁଣା ରେଳ ଲୋକୋମୋଟିଭ୍ ପାରଳାଖେମୁଣ୍ଡିର ମହାରାଜାଙ୍କ ଦ୍ବାରା କ୍ରୟ କରାଯାଇଥିଲା । ଏହାକୁ ପାରଳାଖେମୁଣ୍ଡି ଲାଇଟ ରେଳବାଇ ପରିଚାଳନା କରିଥିଲା । ପିଏଲ୍ କ୍ଲାସ୍ ଭାବରେ ଜଣାଶୁଣା ପାରଳାଖେମୁଣ୍ଡି ଇଞ୍ଜିନ୍ ୧୯୦୪ ମସିହାରେ କେର, ଷ୍ଟୁଆର୍ଟ ଏବଂ କମ୍ପାନୀ ଅଫ୍ ଇଂଲଣ୍ଡ ଦ୍ବାରା ନିର୍ମିତ ହୋଇଥିଲା । ଇଞ୍ଜିନର ଓଜନ ହେଉଛି ୨୦ ଟନ୍ । ଏହି ଲୋକୋମୋଟିଭ୍ ନୌପଡା-ଗୁଣୁପୁର ରେଳ ସେକ୍ସନରେ ନ୍ୟାରୋ ଗେଜରେ ଚଳାଚଳ କରୁଥିଲା ।

Leave A Reply

Your email address will not be published.