Latest Odisha News

BREAKING NEWS

ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକ୍ଷମ ହେବ ଏନଟିପିସି ଦର୍ଲିପାଲି ଦ୍ବିତୀୟ ୟୁନିଟ୍

ଭୁବନେଶ୍ବର : ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକ୍ଷମ ହେବ ଏନଟିପିସି ଦର୍ଲିପାଲି ଦ୍ବିତୀୟ ୟୁନିଟ୍ । ଏହି ଦ୍ବିତୀୟ ୟୁନିଟର ପରୀକ୍ଷାମୂଳକ ଉତ୍ପାଦନ ଗତ ଜୁଲାଇ ୨୧ ତାରିଖରେ ଶେଷ ହୋଇଛି । ତେବେ ବିଦ୍ଧିବଦ୍ଧ ଭାବେ ସେପ୍ଟେମ୍ବର ୧ ତାରିଖରୁ ଏହାର ବ୍ୟବସାୟୀକ ଉତ୍ପାଦନ ଆରମ୍ଭ ହେବ ବୋଲି କହିଛନ୍ତି ଏନଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ.କେ ସତ୍ୟା ।

୧୬୦୦ ମେଗାଓ୍ବାଟ୍ ଏହି ପାଓ୍ବାର ପ୍ରୋଜେକ୍ଟ ଦ୍ବାରା ଉତ୍ପାଦିତ ଶକ୍ତିର ଶତକଡ଼ା ୫୦ ଭାଗ ଓଡ଼ିଶାକୁ ମିଳିବ । ଅବଶିଷ୍ଟ ୫୦ ଭାବ ବିହାର, ଝାଡଖଣ୍ଡ, ସିକିମ୍ ଓ ପଶ୍ଚିମବଙ୍ଗକୁ ବିକ୍ରି ହେବ । କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ ସହିତ ହୋଇଥିବା ବିଦ୍ୟୁତ କ୍ରୟ ଚୁକ୍ତି ଅନୁଯାୟୀ ଦର୍ଲିପାଲି ପ୍ଲାଣ୍ଟରୁ ବିଦ୍ୟୁତର ମୂଲ୍ୟ ୟୁନିଟ୍ ପିଛା ୨ ଟଙ୍କା ୯୦ ପଇସା ହେବ । ବିଦ୍ୟୁତ୍ର ନିର୍ଦ୍ଧାରିତ ମୂଲ୍ୟ ୧ ଟଙ୍କା ୯୦ ପଇସା ଥିବା ବେଳେ, ପରିବର୍ତ୍ତନଶୀଳ ମୂଲ୍ୟ ୟୁନିଟ୍ ପିଛା ୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।

ଏନଟିପିସି ଏହି ପ୍ରକଳ୍ପରେ ୧୩ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ କରିସାରିଛି । ଯାହାର ଆନୁମାନିକ ମୂଲ୍ୟ ୧୩ ହଜାର ୭୦୦ କୋଟି ଟଙ୍କା ହେବ । କେତେକ କାର୍ଯ୍ୟ ଯଥା, ପ୍ଲାଣ୍ଟର କୋଇଲା ପରିବହନ ନିମନ୍ତେ ରେଲଓ୍ବେ ଲାଇ ନର ନିର୍ମାଣ ଓ ଝାରସୁଗୁଡ଼ା ଜିଲ୍ଲାରେ ଲାଇକେରା ଏବଂ କେଚୋବାହାଲ ଷ୍ଟେସନରେ ରେଲଓ୍ବେ ସାଇଡିଂକୁ ଯୋଡିବା ପାଇଁ ମେରି ଗୋ ରାଉଣ୍ଡର ନିର୍ମାଣ ଜାରି ରହିଛି । ଜୁନ୍ ୨୦୨୨ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।

ଜମି ଅଧିଗ୍ରହଣ ସମସ୍ୟା କାରଣରୁ ରେଳଲାଇନ୍ ଏବଂ ଏମଜିଆର ନିର୍ମାଣର ବିଳମ୍ବ ହୋଇଥିଲା । ହେଲେ ଗତ ଜାନୁଆରୀ କ୍ୟାବିନେଟ ନିବେଶ କମିଟି ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏହି ସମସ୍ୟାର ସମାଧାନ ହୋଇଥିଲା । ପିଟ୍ ହେଡ ଆଧାରିତ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବର୍ତ୍ତମାନ ସୁନ୍ଦରଗଡ଼ରେ ଅବସ୍ଥିତ ଦୁଲଙ୍ଗା କୋଇଲା ଖଣିରୁ ଜୀବାଶ୍ମ ଇନ୍ଧନର ଆବଶ୍ୟକତା ପୂରଣ କରୁଛି । ଦୈନିକ ପ୍ରାୟ ୨୫ ହଜାର ଟନର ଆବଶ୍ୟକତା ଥିବା ବେଳେ ଦୁଳଙ୍ଗା ଖଣି ୨୦ ହଜାର ଟନ୍ ପୂରଣ କରିବାର କ୍ଷମତା ରଖିଛି । ଅବଶିଷ୍ଟ ଇନ୍ଧନ ମହାନଦୀ କୋଲ ଫିଲ୍ଡରୁ ପୂରଣ କରାଯିବ । ପ୍ଲାଣ୍ଟ ପାଇଁ ପାଣି, ପାଇପ୍ ଲାଇନ୍ ମାଧ୍ୟମରେ ପ୍ରକଳ୍ପ ସ୍ଥାନଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ ହୀରାକୁଦ ଜଳଭଣ୍ଡାରରୁ ସଂଗ୍ରହ କରାଯାଇଥାଏ । ପ୍ଲାଣ୍ଟର ପ୍ରଥମ ୟୁନିଟ୍ ଗତ ମାର୍ଚ୍ଚ ୧ ତାରିଖରେ କାର୍ଯ୍ୟକ୍ଷମ ହୋଇଛି ।

Leave A Reply

Your email address will not be published.