Latest Odisha News

BREAKING NEWS

ପଶ୍ଚିମବଙ୍ଗ ଟ୍ରେନ୍ ଟ୍ରାଜେଡି: ମାନବୀୟ ତ୍ରୁଟିରୁ ଦୁର୍ଘଟଣା କହିଲେ ରେଲୱେ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୋମବାର (ଆଜି) ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ି ଠାରେ ଠିଆ ହୋଇଥିବା କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାର ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨୫ ଜଣ ଆହତ ହୋଇଛନ୍ତି । ଏଥିରେ ଟ୍ରେନ୍ ର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ପ୍ରାଥମିକ ତଦନ୍ତରୁ ଏହି ଦୁର୍ଘଟଣା ମାନବୀୟ ତ୍ରୁଟି କାରଣରୁ ହୋଇଥିବା କହିଛନ୍ତି ରେଲୱେ ବୋର୍ଡ ସିଇଓ ଜୟା ବର୍ମା ସିହ୍ନା । ସିଗନାଲ ଦିଆଯିବା ସତ୍ତ୍ୱେ ଟ୍ରେନର ଲୋକ ପାଇଲଟ ଏହା ମାନି ନଥିଲେ ଆଉ ଟ୍ରେନ୍ କୁ ଅଟକାଇ ନଥିଲେ । ତେଣୁ ସିଗନାଲ୍ ନ ମାନିବାରୁ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି ।

ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସେ କହିଛନ୍ତି ।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ମୃତ ଯାତ୍ରୀଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ସୋମବାର ସକାଳେ କଞ୍ଚନଜଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ସିଲିଗୁଡିର ରଙ୍ଗାପାନି ଷ୍ଟେସନରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏକ ମାଲବାହୀ ଟ୍ରେନ୍ ପଛପଟୁ ଧକ୍କା ଦେବା ଫଳରେ ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି । ଏଯାବତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

Leave A Reply

Your email address will not be published.