Latest Odisha News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଚକାବିଜେ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି । ମହାପ୍ରଭୁଙ୍କ ଶରୀର ଖଇଫୁଟା ତାତିରେ କମ୍ପୁଥିବା ବେଳେ ଉପଶମ ପାଇଁ ବଡ ଓଡିଆ ମଠରେ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି ହୋଇଥିଲା । ଏହା ପରେ ଶ୍ରୀଜୀଉଙ୍କ ଶରୀରରୁ ତାତି ଧିରେ ଧିରେ କମିଛି  ହେଲେ ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଲାଗି କରାଯିବ ।

ଗଜପତି ମହାରାଜଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଶମୂଳକ ପ୍ରସ୍ତୁତ କରାଯାଇଛି। ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଟିତ ହେବ।

ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ଓ ବିଦ୍ୟାପତି ମାନେ ଚକା ବିଜେ କରାବେ। ଏହା ପରେ ଚକଟା ଓ ପଣା ଭୋଗ ଲାଗି କରାଯିବ। ଏଥିସହ ଆଜି ଦଶମୀ ମଳ ଅବସରରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦଶମୂଳ ଔଷଧ ଆଜି ଶ୍ରୀମନ୍ଦିରକୁ ଯିବ।

Leave A Reply

Your email address will not be published.