Latest Odisha News

BREAKING NEWS

ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ପାଇଁ ନୂଆ ଆହ୍ୱାନ

ନୂଆଦିଲ୍ଲୀ: ଲୋକସଭାରେ ଏଥର ଅପେକ୍ଷାକୃତ ଦୁର୍ବଳ ବିଜେପିର ସାମନା କରିବାକୁ ପ୍ରସ୍ତୁତ କଂଗ୍ରେସ । ୯୯ ଆସନ ସହ କଂଗ୍ରେସ ଲୋକସଭାରେ ଦ୍ୱିତୀୟ ବଡ ଦଳ । ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ବ୍ଲକ୍ ବିଜେପିକୁ ଏକାକୀ ସଂଖ୍ୟାଗରିଷ୍ଠତା ହାସଲରୁ ରୋକିଥିଲା । ଏଥିରେ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ । ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ପୂର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ ହୋଇଛି କଂଗ୍ରେସ । ନବଗଠିତ ଲୋକସଭାର ପ୍ରଥମ ଅଧିବେଶନରୁ ହିଁ ଏହା ସ୍ପଷ୍ଟ ହୋଇଯାଇଛି । ପ୍ରଥମେ ଲୋକସଭାର ଅସ୍ଥାୟୀ ବାଚସ୍ପତି ଓ ପରେ ବାଚସ୍ପତି ନିର୍ବାଚନ ପ୍ରସଙ୍ଗରେ ବିଜେପି ପ୍ରତି କଂଗ୍ରେସର କଡା ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଯାଇଛି ଯେ, ଏଥର ଗୃହରେ ଦଳର ରଣନୀତି କଣ ରହିବ । ସବୁଠାରୁ ବଡ କଥା ହେଲା ଯେ, ରାହୁଲ ଗାନ୍ଧୀ ହୋଇଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା । ମାନେ ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲୋକସଭାରେ ରାହୁଲଙ୍କ ହେବ ସିଧା ଲଢେଇ । ମାନେ ଖେଲା ହେବ । ଅନେକ ହଁ ନା ପରେ ବିରୋଧୀ ଦଳ ନେତା ପଦ ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧି । ୧୦ ବର୍ଷ ପରେ କଂଗ୍ରେସକୁ ମିଳିିଛି ଏହି ପଦ ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ମଧ୍ୟ କ୍ଷୁର୍ଣ୍ଣ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସ ସିଧାସଳଖ ଲଢେଇରୁ ରାହୁଲଙ୍କୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଥିଲା କଂଗ୍ରେସ । କିନ୍ତୁ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସହ ଜୋରଦାର ଲଢେଇ ପାଇଁ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିଥିଲେ ରାହୁଲ ଗାନ୍ଧୀ । ପ୍ରଥମେ ଭାରତ ଯୋଡୋ ଯାତ୍ରା ଓ ନ୍ୟାୟ ଯାତ୍ରାରେ ବାହାରିଥିଲେ ରାହୁଲ । ସମ୍ବିଧାନ ବଦଳାଇ ବିଜେପି ସରକାର ଦେଶରେ ଏକଛତ୍ରବାଦ ଶାସନ ଚଳାଇବାକୁ ପ୍ରସ୍ତୁତ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଥିଲେ ରାହୁଲ । ନିର୍ବାଚନୀ ସଭାରେ ବିଜେପି ଓ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ରାହୁଲ ଓ କଂଗ୍ରେସ । ଏଥର ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଆସନ ପାଇ ଲୋକସଭାରେ ସ୍ଥିତିରେ ସୁଧାର କରିଛି କଂଗ୍ରେସ । ଆଉ ରାହୁଲ ଗାନ୍ଧି ଏବେ ଲୋକସଭାରେ ଲିଡର ଅଫ୍ ଅପୋଜିସନ ।

ଲୋକସଭାରେ ପ୍ରଥମରୁ ହିଁ ଶାସକ ଏନଡିଏ ସହ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି ରାହୁଲ । ଯାହା ଜଣାପଡୁଛି ଏବେ ଲୋକସଭାର ଉପବାଚସ୍ପତି ପଦ ପାଇଁ ଏନଡିଏକୁ ଟକ୍କର ଦେବେ ରାହୁଲ । ହେଲେ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ ମନେ ରଖିବାକୁ ପଡିବ ଯେ, ମୋଦି ସରକାର ବିରୋଧରେ ଲଢିବାକୁ ହେଲେ ଇଣ୍ଡିଆ ବ୍ଲକର ସବୁ ଅଂଶୀଦାରଙ୍କୁ ଏକାଠି ରଖିବାକୁ ହେବ । ସବୁବେଳେ ଯଦି ସେ କଂଗ୍ରେସର ଫାଇଦା ଦୃଷ୍ଟିରୁ ପ୍ରସଙ୍ଗ ଉଠାଇବେ,ତାହା ହେଲେ ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ଭଳି ପ୍ରତିକ୍ରିୟାଶୀଳ ଦଳର ଆସ୍ଥା ହରାଇବ କଂଗ୍ରେସ । ଏବେ ତ ଟିଏମସି କେ. ସୁରେଶଙ୍କ ବାଚସ୍ପତି ପ୍ରାର୍ଥିତ୍ୱ ନେଇ ପରାମର୍ଶ କରାଯାଇ ନଥିବାରୁ ଖପ୍ପା ହୋଇଛି ।

ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ଭୂମିକା କ’ଣ ରହିବ ? ବିରୋଧୀ ଦଳ ନେତା ପଦର ସାମ୍ବିଧାନିକ ଗୁରୁତ୍ୱ ଦୃଷ୍ଟିରୁ ରାହୁଲ ଏବେ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲର ସଦସ୍ୟ ରହିବେ । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏଜେନସୀର ମୁଖ୍ୟଙ୍କ ଚୟନ ପାଇଁ ପ୍ୟାନେଲର ସଦସ୍ୟ ରହିବେ ରାହୁଲ । ଲୋକସଭାରେ ସବୁ ବିଧେୟକ ଉପରେ ସେ କହିବେ ଓ ଚର୍ଚ୍ଚା ଆରମ୍ଭ କରିବେ । ସବୁଠାରୁ ବଡ କଥା ହେଲା ଲୋକସଭାରେ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁହାଁମୁହିଁ ହେବେ ।

ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବା କଂଗ୍ରେସର ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କିଛି ବିଶେଷଜ୍ଞ କହିଛନ୍ତି । ଏହି ନିଷ୍ପତ୍ତି କଂଗ୍ରେସର ନେତା ଓ କର୍ମୀଙ୍କୁ ଆହୁରି ଉତ୍ସାହିତ କରିବ । ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ଅଧିକ ଆତ୍ମବିଶ୍ୱାସର ସହ କଂଗ୍ରେସ ବିଜେପି ଓ ଅନ୍ୟ ବିରୋଧୀ ଦଳଙ୍କ ମୁକାବିଲା କରିବ । ତେବେ, ରାହୁଲ ଇଣ୍ଡିଆ ବ୍ଲକର ଅଂଶୀଦାର ସହ କିଭଳି ସମନ୍ୱୟ ରକ୍ଷା କରି ବିଜେପିକୁ ଚ୍ୟାଲେଂଜ କରିବେ, ତାହା ହିଁ ବଡ ପ୍ରଶ୍ନ । ଏଥିପାଇଁ ପ୍ରଥମେ ସମଭାବାପନ୍ନ ଦଲଗୁଡିକୁ ଏକାଠି ରଖିବାକୁ ପଡିବ । ୨୦୧୯ରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ । ଶେଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଛନ୍ତି ରାହୁଲ ଗାନ୍ଧି । କିନ୍ତୁ ୨୦୧୯ର ରାହୁଲ ଓ ବର୍ତ୍ତମାନର ରାହୁଲଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

Comments are closed.