Latest Odisha News

ଚ୍ୟାଲେଜିଂ ହେବ ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ଦ୍ୱିତୀୟ ପାଳି

ନୂଆଦିଲ୍ଲୀ: ୩୯ ବର୍ଷ ପରେ ପ୍ରଥମ ସାଂସଦ ଭାବେ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭାରେ ବାଚସ୍ପତି ପଦରେ ଆସୀନ ହୋଇଛନ୍ତି ଓମ୍  ବିର୍ଲା । ପୂର୍ବରୁ ୧୯୮୫ରେ କଂଗ୍ରେସର ବଳରାମ ଝାକର ହୋଇଥିଲେ ଏହି ଗୌରବର ଅଧିକାରୀ । ଅବଶ୍ୟ ଏଥର ଓମ୍ ବିର୍ଲାଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ସହମତି ସୃଷ୍ଟି କରିପାରିନଥିଲା ବିଜେପି । କାରଣ ଏଥର ବିଜେପିର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ନାହିଁ । ଉପବାଚସ୍ପତି ପଦ ବିରୋଧୀ ଦଳକୁ ଦେଲେ ବିର୍ଲାଙ୍କୁ ସମର୍ଥନ କରାଯିବ ବୋଲି ଇଣ୍ଡିଆ ବ୍ଲକର ଛାମୁଆ ଦଳ କଂଗ୍ରେସ ଦାବିକୁ ଏନଡିଏ ଗ୍ରହଣ କରିନଥିଲା । ତେଣୁ ବାଚସ୍ପତି ପଦ ପାଇଁ ଇଣ୍ଡିଆ ବ୍ଲକ ନିଜର ପ୍ରାର୍ଥୀ ଦେଇଥିଲା । ୮ ଥର ଲଗାତର ଲୋକସଭାକୁ ନିର୍ବାଚିତ ହୋଇଥିବା କେରଳର ଭେଟେରାନ ସାଂସଦ କେ. ସୁରେଶଙ୍କୁ ଇଣ୍ଡିଆ ବ୍ଲକ୍ କରିଥିଲା ବାଚସ୍ପତି ପ୍ରାର୍ଥୀ । ତେବେ ବାଚନିକ ଭୋଟରେ କେ. ସୁରେଶଙ୍କୁ ପରାସ୍ତ କରି ବାଚସ୍ପତି ନିର୍ବାଚିତ ହୋଇଛନ୍ତି ଓମ୍‌ ବିର୍ଲା । ୧୯୫୨,୧୯୬୭ ଓ ୧୯୭୬ ପରେ ମାତ୍ର ଚତୁର୍ଥ ଥର ପାଇଁ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି ।

୧୯୬୨ ମସିହାରେ ଜନ୍ମିତ ଓମ୍ ବିର୍ଲା ପୂର୍ବରୁ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ରେ ବିର୍ଲା ହୋଇଥିଲେ ଲୋକସଭା ବାଚସ୍ପତି । ବାଚସ୍ପତି ପଦ ପାଇଁ ବିଜେପିର ସରପ୍ରାଇଜ୍ ପିକ୍ ଥିଲେ ବିର୍ଲା । ସେତେବେଳେ ଗୃହରେ ବିଜେପିର ନମ୍ବର ଥିଲା ଓ ତାଙ୍କ ସପକ୍ଷରେ ସହମତି ବି ସୃଷ୍ଟି ହୋଇଥିଲା । ବାଚସ୍ପତି ଭାବେ ବିର୍ଲାଙ୍କ ପ୍ରଥମ କାର୍ଯ୍ୟକାଳରେ ଲୋକସଭାର ବୃଦ୍ଧି ପାଇଥିଲା କାର୍ଯ୍ୟ ଦକ୍ଷତା । କୋଭିଡ-୧୯ ମହାମାରୀର ସଫଳ ମୁକାବିଲା କରିଥିଲା ପାର୍ଲାମେଂଟ୍ । ଧାରା ୩୭୦ ଉଚ୍ଛେଦ ସହ ମହିଳା ସଂରକ୍ଷଣ ବିଧେୟକ ମଧ୍ୟ ଗୃହୀତ ହୋଇଥିଲା । ମହିଳା ଓ ପ୍ରଥମ ଥର ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କୁ ଲୋକସଭା ବିତର୍କରେ ଭାଗ ନେବା ପାଇଁ ଅଧିକ ସମୟ ଦେଇଥିଲେ ବିର୍ଲା ।
କିନ୍ତୁ ବିର୍ଲାଙ୍କ ପ୍ରଥମ କାର୍ଯ୍ୟକାଳ ନେଇ ବିରୋଧୀ ଦଳ ଜମା ସନ୍ତୁଷ୍ଟ ହୋଇନଥିବେ । ବାଚସ୍ପତି ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ ଆପଣାଇଥିବା ନେଇ ଅନେକ ଥର ଖୋଲାଖୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ । ବିରୋଧୀଙ୍କ ଅଭିଯୋଗ ଥିଲା ଯେ, ଲୋକସଭାରେ ୩୫ ପ୍ରତିଶତ ବିଧେୟକ ମାତ୍ର ଘଣ୍ଟାଏରୁ କମ୍ ସମୟର ଆଲୋଚନା ପରେ ଗୃହୀତ ହେବା ପାଇଁ ସୁଯୋଗ ଦିଆଯାଇଥିଲା । ଏଥିମଧ୍ୟରୁ ମାତ୍ର ୧୬ ପ୍ରତିଶତ ବିଲ୍ ହିଁ ସମୀକ୍ଷା ପାଇଁ ବିଭିନ୍ନ ଗୃହ କମିଟିକୁ ପଠାଯାଇଥିଲା । ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ଅନୁସାରେ ଏହି ସଂଖ୍ୟା ବିଗତ ତିନି ଲୋକସଭାରେ ଗୃହ କମିଟିକୁ ପଠାଯାଇଥିବା ସଂଖ୍ୟା ତୁଳନାରେ କମ୍। କେବଳ ସେତିିକି ନୁହେଁ, ବାଚସ୍ପତି ଭାବେ ବିର୍ଲାଙ୍କ ପ୍ରଥମ କାର୍ଯ୍ୟକାଳରେ ୧୦୦ରୁ ଅଧିକ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା । ବିରୋଧୀଙ୍କ ଆଉ ଏକ ସାଂଘାତିକ ଅଭିଯୋଗ ଥିଲା ଯେ, ଗୁରୁତ୍ୱପୂର୍ଣ୍ଣ ବିତର୍କ ଓ ଆଲୋଚନା ବେଳେ ସଂସଦ ଟିଭିର ଫୋକସ କେବଳ ଟ୍ରେଜେରୀ ବେଂଚ ଉପରେ ଅଧିକ ସମୟ ରହୁଥିଲା । ଆଉ ବିରୋଧୀ ନେତା କହିବା ବେଳେ ମାଇକ୍ରୋଫୋନ୍ ଜାଣିଶୁଣି ଅଫ୍ କରିଦିଆଯାଉଥିଲା ।

ବାଚସ୍ପତି ଭାବେ ପ୍ରଥମ କାର୍ଯ୍ୟକାଳରେ ଏସବୁ ଅଭିଯୋଗର ସାମନା କରିଥିବା ଓମ୍ ବିର୍ଲା ଦ୍ୱିତୀୟ କାର୍ଯ୍ୟକାଳରେ କଣ ବିରୋଧୀଙ୍କ ଆସ୍ଥା ଭାଜନ ହୋଇପାରିବେ ? ପକ୍ଷପାତିତା ଅଭିଯୋଗରୁ ନିଜକୁ ମୁକୁଳାଇ ପାରିବେ ? ବାଚସ୍ପତି ଭାବେ ବିର୍ଲାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଯେ, ବଡ ଆହ୍ୱାନମୂଳକ ହେବ, ଏଥିରେ ସନ୍ଦେହ ନାହିଁ । ପୂର୍ବାପେକ୍ଷା ତାଙ୍କୁ ଏକ ଲଢୁଆ ଓ ସଂଗଠିତ ବିରୋଧୀ ଦଳର ସାମନା କରିବାକୁ ହେବ ।
୧୯୮୭ ମସିହାରେ ରାଜନୀତିରେ ପାଦ ଥାପିଥିଲେ ଓମ୍ ବିର୍ଲା । ରାଜସ୍ଥାନର କୋଟା ସହରରେ ବିଜେପି ଯୁବ ଶାଖାର ସଭାପତି ହୋଇଥିଲେ । ୨୦୦୩ରେ କୋଟା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ବିର୍ଲା । ୨୦୧୪ ଯାଏଁ ସେ ବିଧାନସଭା ସଦସ୍ୟ ରହିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ କୋଟା-ବୁନ୍ଦି ଲୋକସଭା ଆସନରୁ ଲଢି ବିଜୟୀ ହୋଇଥିଲେ । ଏଥର କୋଟା ଲୋକସଭା ଆସନରୁ ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ବିର୍ଲା ।

Leave A Reply

Your email address will not be published.