ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଧରଣର ଦୁର୍ଘଟଣା। ପିପଲକୋଟି ସ୍ଥିତ THDC ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ମଧ୍ୟକୁ ହଠାତ୍ ପ୍ରବଳ ପାଣି, ମାଟି ଓ ପଥର ପଶିଯିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶ୍ରମିକ ଏବେ ବି ଟନେଲ୍ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଯେତେବେଳେ ଟନେଲ୍ ମଧ୍ୟରେ କାମ ଚାଲିଥିଲା, ସେତେବେଳେ ଭୂସ୍କଳନ ଯୋଗୁଁ କାଦୁଅ ଓ ପାଣି ଦ୍ରୁତ ଗତିରେ ଭିତରକୁ ପ୍ରବେଶ କରିଥିଲା। ଘଟଣାସମୟରେ ୨୮ ଜଣ ଶ୍ରମିକ ସେଠାରେ କାର୍ଯ୍ୟରତ ଥିଲେ। ସେମାନଙ୍କ ମଧ୍ୟରୁ ଉଦ୍ଧାରକାରୀ ଦଳ ଅନେକ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି। ଆହାତ ଶ୍ରମିକମାନଙ୍କୁ ତୁରନ୍ତ ନିକଟସ୍ଥ ଗୋପେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରବଳ ଧାରାର ପ୍ରଭାବରେ ଅନେକ ଶ୍ରମିକ ଟନେଲର ବାହାର ଦିଗକୁ ପ୍ରବାହିତ ହୋଇଯାଇଥିଲେ । ଏପର୍ଯ୍ୟନ୍ତ ଅତି କମରେ ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ଓ ଏସଡିଆରଏଫର ଦଳମାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଟନେଲ୍ ଭିତରୁ ପାଣି ନିଷ୍କାସନ କରିବା ସହ ଜମା ହୋଇଥିବା କାଦୁଅ ଓ ପଥର ସଫା କରିବା ପାଇଁ ଭାରୀ ଯନ୍ତ୍ରପାତି ବ୍ୟବହାର କରାଯାଉଛି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଉଦ୍ଧାର ଓ ସାହାଯ୍ୟ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସମନ୍ୱୟ ଏବଂ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟନେଲ୍ ଭିତରେ ଫସିଥିବା ପ୍ରତ୍ୟେକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ପ୍ରଶାସନର ପ୍ରାଥମିକତା ବୋଲି ସେ କହିଛନ୍ତି। ଲଗାଣ ବର୍ଷା କାରଣରୁ ଟନେଲ ଉପରିଭାଗ ଭୁଶୁଡ଼ିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଫସି ରହିଥିବା ବାକି ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ପ୍ରଶାସନ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି।


Comments are closed.