ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ନଭେମ୍ବର ୧୫ ତାରିଖ ବେଳକୁ ଲଘୁଚାପର ରୂପ ନେବ ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥାତ ରାଜ୍ଯରେ ଶୀତ ପାଇଁ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ନଭେମ୍ବର ୧୬ ପରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଆସନ୍ତା ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁଖ୍ୟ ଏଚ୍. ଆର୍. ବିଶ୍ୱାସ କହିଛନ୍ତି, ନଭେମ୍ବର ୧୫ ତାରିଖ ଯାଏଁ ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ ଦିନ ଯାଏଁ ପାଗ ଶୁଖିଲା ରହିବ। ଏହାପରେ ନଭେମ୍ବର ୧୬ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିଲା। କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରେକର୍ଡ କରାଯାଇଛି, ସେହିପରି ଜି. ଉଦୟଗିରିରେ ୧୦.୫ ଡିଗ୍ରି ରେକର୍ଡ କରାଯାଇଛି, ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି, ଦାରିଙ୍ଗିବାଡ଼ି ୧୩ ଡିଗ୍ରି, କୋରାପୁଟରେ ୧୧ ଡିଗ୍ରୀ ଓ ସେମିଲିଗୁଡାରେ ୧୧.୧ ଡିଗ୍ରୀ ରହିଛି।
ଭୁବନେଶ୍ୱର ସହରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ର ଅନୁସାରେ ଆସନ୍ତା ୫ ଦିନ ମଧ୍ୟରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ବା ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
Comments are closed.