Latest Odisha News

BREAKING NEWS

ଆଇଏସଆଇଙ୍କ ଟାର୍ଗେଟରେ ଚାନ୍ଦିପୁର ଆଇଟିଆର; ୧୦ ବର୍ଷରେ ଧରାପଡିଲେଣି ୭ କର୍ମଚାରୀ

ଭୁବନେଶ୍ୱର: ସଙ୍କଟରେ ଚାନ୍ଦିପୁର ଆଇଟିଆର । ଦେଶର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଉପରେ ଆତଙ୍କୀ ନଜର । ପ୍ରତିରକ୍ଷା ସଂସ୍ଥାର କର୍ମଚାରୀଙ୍କୁ ବିଭିନ୍ନ ଉପାୟରେ ଫସାଇ ତଥ୍ୟ ଚୋରି କରି ନେଉଛି ପାକିସ୍ତାନ ଆଇଏସଆଇ । ଜଣକ ପରେ ଜଣେ ଧରାପଡୁଛନ୍ତି । ତଥାପି ହୁଗୁଳା ବାଟ ଦେଖି ଆତଙ୍କୀ ତଥ୍ୟ ନେଇ ଯାଉଛନ୍ତି । ଈଶ୍ଵରଙ୍କଠାରୁ ବାବୁରାମ ପର୍ଯ୍ୟନ୍ତ ଏମିିତି କେତେ ଧରା ପଡିଲେଣି । ତଥାପି ସ୍ଥିତି ସୁଧୁୁରୁନି ।

ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଏ) ଅଧୀନରେ ରହିଛି ଚାନ୍ଦିପୁର ସମନ୍ଵିତ କ୍ଷେପଣାସ୍ତ୍ର ଘାଟି । ଏହା ଉପରେ ନଜର ପଡିଛି ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇର । ଏହାର କର୍ମଚାରୀଙ୍କ ମଧ୍ୟରୁ କାହାକୁ ହନିଟ୍ରାପରେ ତ କାହାକୁ ଅର୍ଥ ଲୋଭ ଦେଖାଇ କବଜା କରିନେଉଛନ୍ତି ଆଇଏସଆଇ । ପ୍ରତିରକ୍ଷା ଘାଟିର ଗୁପ୍ତ ତଥ୍ୟ ଏମାନଙ୍କଠାରୁ ଆଦାୟ କରି ନେଉଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ୭ ଜଣ କର୍ମଚାରୀଙ୍କୁ ଫସେଇ ଏମିତି ଗୁପ୍ତ ତଥ୍ୟ ଆଦାୟ କରୁଛି ଆଇଏସଆଇ ।

୨୦୧୫ରେ ପ୍ରଥମେ ତଥ୍ୟ ଲିକ ଘଟଣାରେ ଧରାପଡିଥିଲା ଡିଆରଡିଓରେ କ୍ୟାମେରାମ୍ୟାନ ଭାବେ କାମ କରୁଥିବା ମୟୂରଭଞ୍ଜର ଈଶ୍ଵର ବେହେରା । ୯ ଅଙ୍କ ବିଶିଷ୍ଟ ନମ୍ବରରେ ସେ ଆଇଏସଆଇ ଏଜେଣ୍ଟ ସହ କଥାବାର୍ତ୍ତା ହେଉଥିବା ଜଣାପଡିଥିଲା । ତାଙ୍କ କଲ ରେକର୍ଡ ସାଇଣ୍ଟିଫିକ ଲ୍ୟାବକୁ ଯାଇଥିଲା । ଯାଞ୍ଚ ପରେ ଏହା ଈଶ୍ଵରର ବୋଲି ଜଣା ପଡିଥିଲା । ୨୦୨୧ରେ ଈଶ୍ଵରକୁ ଆଜୀବନ ଜେଲ ହୋଇଥିଲା ।

୨ୟ ଘଟଣା ଘଟିଥିଲା ୨୦୨୧ରେ । ବିଦେଶୀ ଗୁପ୍ତଚର ସଂସ୍ଥାକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଚୋରି ଅଭିଯୋଗରେ ଚାନ୍ଦିପୁର ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ଜଣଙ୍କୁ ଛାଡି ଦିଆଯାଇଥିଲା । ଗିରଫ ଅଭିଯୁକ୍ତମାନେ ଥିଲେ ଚାନ୍ଦିପୁର ଝାମ୍ପୁରା ହାଟର ବସନ୍ତ ବେହେରା (୫୨), ଶ୍ରୀକୋଣା ଅଞ୍ଚଳର ସେକ ମୁଶାଫିର(୩୨),ପାଲିସିଆ ଅଞ୍ଚଳର ତାପସ ରଞ୍ଜନ ନାୟକ (୪୧),ସଦର ଥାନା ଅନ୍ତର୍ଗତ ବୁଆଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ(୫୨) । ଏମାନେ ସମସ୍ତେ ଡିଆରଡିଏର ଠିକା କର୍ମଚାରୀ ଥିଲେ ।

ତୃତୀୟ ଘଟଣା ହେଉଛି ବାବୁରାମ ଦେ(୫୭)ର । ୨୦୨୩ ଫେବ୍ରୁଆରୀ ୨୪ ତାରିଖରେ ସେ ପ୍ରତିରକ୍ଷା ତଥ୍ୟ ଲିକ ଘଟଣାରେ ଗିରଫ ହୋଇଛନ୍ତି । ସେ ହନିଟ୍ରାପର ଶିକାର ହୋଇ ତଥ୍ୟ ଲିକ କରୁଥିଲେ । ସେ ଆଇଟିଆରର ବୈଷୟିକ ବିଭାଗରେ ୧୯୯୫ ମସିହାରୁ କାମ କରି ଆସୁଥିଲେ । ତାଙ୍କ ନାମରେ ମଧ୍ୟ ଦେଶଦ୍ରୋହ ମାମଲା ଲାଗିଛି ।

ଯାହା ବି ହେଉ, ଏପରି ଘଟଣା ଏକ ଚିନ୍ତାଜନକ ବିଷୟ । ଏଥିପ୍ରତି ସତର୍କତା ଜରୁରୀ ହୋଇଥିବାବେଳେ ଏଠି ପ୍ରଶ୍ନ ଉଠେ ବାରମ୍ବାର ଏପରି ଘଟଣା ଚାନ୍ଦିପୁର ଡିଆରଡିଏରେ ଦେଖା ଯାଇଥିବେଳେ ପ୍ରତିରକ୍ଷା ବିଭାଗ ସଜାଗ ହେଉନି କାହିଁକି ?

Leave A Reply

Your email address will not be published.