Latest Odisha News

BREAKING NEWS

କଟକରେ ଏଫଏମ୍ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା;ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ: କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାରଙ୍ଗ ଥାନାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି ମୃତକଙ୍କ ପରିବାର ଲୋକ । ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ତୃତୀୟ ବର୍ଷ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତକାଲି ତ୍ରିଶୂଳିଆରେ କାଠଯୋଡି ପୋଲ ତଳୁ ମିଳିଥିଲା ।

ଚନ୍ଦ୍ରିକା ପିଲାବେଳର ସାଙ୍ଗ ବଡ଼ସାହି ଥାନା ସାଙ୍କୁଚା ଅଞ୍ଚଳର ଯୁବକଙ୍କୁ ଭଲ ପାଉଥିଲେ । ଉଭୟ ୨୦୨୭ ମସିହାରେ ବିବାହ ମଧ୍ୟ କରିଥାନ୍ତେ । ହେଲେ ଯୁବକଙ୍କ ଜୀବନରେ ଆଉ କେହି ଝିଅ ଆସିଯାଇଥିଲେ । ଯିଏ ଆସିବା ପରେ ସେ ଅନେକ ସମୟରେ ଚନ୍ଦ୍ରିକାଙ୍କ ସହିତ ଝଗଡା କରିବା ସହିତ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା । ତେଣୁ ସଂପୃକ୍ତ ଯୁବକ ଏବଂ ଯୁବତୀ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ ।

ମୃତ ଚନ୍ଦ୍ରିକାଙ୍କ ବାପା ଭୂଜୁ ହାଁସଦାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅର ମୃତ୍ୟୁ ପାଇଁ ତାଙ୍କ ପୁରୁଷ ବନ୍ଧୁ ହିଁ ସମ୍ପୂର୍ଣ୍ଣ ଦାୟୀ । ଉଭୟ ପୂର୍ବରୁ ନବୋଦୟ ବିଦ୍ୟାଳୟରେ ସାଙ୍ଗ ହୋଇ ପଢୁଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ତେବେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମନାନ୍ତର ଓ ତିକ୍ତତା ଦେଖା ଦେଇଥିଲା ।

ଚନ୍ଦ୍ରିକାଙ୍କ କଲିଂ ପ୍ୟାଟର୍ନ ଓ ସୋସିଆଲ ମିଡିଆ ଚାଟ୍ ଯାଞ୍ଚ କରୁଛି ପୋଲିସର ସ୍ୱତନ୍ତ୍ର ଟିମ୍ । ତଥ୍ୟ ପାଇବା ପରେ ଛାନଭିନ୍ ଆରମ୍ଭ କରିଛି କଟକ କମିଶନରେଟ ପୋଲିସ ।

ପ୍ରାଥମିକ ପ୍ରମାଣରୁ ଆଘାତ ଚିହ୍ନ ନଥିଲେ ମଧ୍ୟ ହତ୍ୟା ଓ ଆତ୍ମହତ୍ୟା ଉଭୟ ଆଙ୍ଗେଲ୍‌ରୁ ପୋଲିସ ଛାନଭିନ୍ କରୁଥିବା ଡିସିପି କହିଛନ୍ତି ।

Comments are closed.