Latest Odisha News

BREAKING NEWS

ନିର୍ବାଚନ ପରେ ଚାଲିବ ତ ରାଜନୈତିକ ଦଳର ସୋସିଆଲ୍ ମିଡିଆ ?

ଭୁବନେଶ୍ବର: ଖବର ହେଉ କି ନିର୍ବାଚନ ପ୍ରଚାର, ମୋବାଇଲ୍ ଫୋନରେ ମାତ୍ର ଗୋଟିଏ କ୍ଲିକ ଦୂର। ଓଡିଶାରେ ଟିଭି ଚ୍ୟାନେଲ୍ ବିଭିନ୍ନ  ରାଜନୈତିକ ଦଳର ଏଜେଣ୍ଡାକୁ ନେଇ ଖବର ପ୍ରସାରଣ କରୁଥିବା ଅଭିଯୋଗ ହେବା ପରେ ସୋସିଆଲ୍ ମିଡିଆର ଲୋକପ୍ରିୟତା ବଢିଥିଲା। ୟୁଟ୍ୟୁବ୍ ହେଉ କି ଫେସବୁକ୍, ଖବରର ଭିନ୍ନ ଭିନ୍ନ ଦିଗ ଦେଖିବାକୁ ସୋସିଆଲ ମିଡିଆକୁ ହିଁ ଭରସା କରୁଛନ୍ତି ଲୋକେ। ଏହାର ସୁଯୋଗ ନେଇ ଗତ ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀ ସୋସିଆଲ୍ ମିଡିଆକୁ ବ୍ୟବହାର କରିଥିଲେ। ନିଜସ୍ବ ସେଟ ଅପରେ ଦଳର ଏଜେଣ୍ଡା, ପ୍ରସଙ୍ଗ, ଶୀର୍ଷ ନେତୃତ୍ବଙ୍କ ପ୍ରଚାର କରିଥିଲେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି । ସୋସିଆଲ୍ ମିଡିଆ ରେସରେ କଂଗ୍ରେସ ଟିକେ ପଛରେ ରହିଥିଲେ ବି ଦଳୀୟ ପ୍ରାର୍ଥୀ ନିଜସ୍ବ କ୍ୟାମ୍ପେନିଂ କରିଥିଲେ। ଲୋକଙ୍କ ପାଖରେ ପହଞ୍ଚିବାର ସିଧାସଳଖ ମାଧ୍ୟମ ହୋଇଥିଲା ସୋସିଆଲ୍ ମିଡିଆ ।

ସୋସିଆଲ୍ ମିଡିଆରେ ରାଜନୀତି ପ୍ଲାନ୍

ବିଜେଡି ଓ ବିଜେପି ସ୍ବତନ୍ତ୍ର ଭାବେ ସୋସିଆଲ ମିଡିଆ ଟିମ୍ ଗଠନ କରି କର୍ମଚାରୀ ନିଯୁକ୍ତ କରିଥିଲେ। ପ୍ରତିଦିନ ଦଳର କେଉଁ ଏଜେଣ୍ଡାକୁ ଫୋକସ୍ କରାଯିବ, କେଉଁ ପ୍ରସଙ୍ଗରେ ପ୍ରତିଦ୍ବନ୍ଦ୍ବୀ ଦଳଙ୍କୁ କାଠଗଡାକୁ ଟାଣି ଟାର୍ଗେଟ୍ କରାଯିବ, କେଉଁ ଘଟଣାକୁ ବଡ଼ କରି ମାଇଲେଜ୍ ନେଇହେବ, ସେନେଇ ପ୍ରସ୍ତୁତ ହେଉଥିଲା ସ୍ବତନ୍ତ୍ର ରଣନୀତି । ସୋସିଆଲ୍ ମିଡିଆ ଓ୍ବାରରେ ପ୍ରତିଦ୍ବନ୍ଦୀଙ୍କଠୁ ଆଗକୁ ଯିବା ସହ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିଲା। ବିଭିନ୍ନ କାମ ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ ହେଉଥିଲେ। କିଛି ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କୁ ମଧ୍ୟ ଦଳୀୟ ପ୍ରଚାର ଧାରାରେ ଭିଡିଓ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏପରିକି କିଛି ଆଲେଖ୍ୟ ପୋଷ୍ଟ ବି ପ୍ରାୟୋଜିତ ରହିଥିଲା।

ଓଡିଆ ଅସ୍ମିତା ସୁପରହିଟ୍

ସୋସିଆଲ୍ ମିଡିଆରେ ହିଁ ବିଜେପିର ଓଡିଆ ଅସ୍ମିତା ପ୍ରସଙ୍ଗ ସୁପରହିଟ୍ ହୋଇଥିଲା। ଏକ୍ସରେ ବାଏ ବାଏ ପାଣ୍ଡିଆନ ଟ୍ରେଣ୍ଡ କରିଥିଲା ତ ଫେସବୁକ ରିଲ୍ସରେ ବି ଥିଲା ପାଣ୍ଡିଆନ ବିରୋଧୀ ସ୍ବର। ଅଭିନୟ ମାଧ୍ୟମରେ ଛୋଟ ଭିଡିଓରେ ଭିକେ ପାଣ୍ଡିଆନଙ୍କୁ ଚିତ୍ରିଣ କରି ନିଜ ଏଜେଣ୍ଡା ଭାବେ ବ୍ୟବହାର କରିଥିଲା ବିଜେପି। ସେପଟେ ସୋସିଆଲ ମିଡିଆରେ ପଛରେ ପଡ଼ିନଥିଲା ବିଜେଡି। ଦଳର ପାର୍ଟି ଅଫିସରୁ ହିଁ ଡିଜିଟାଲ୍ ମିଡିଆ ପାଇଁ ସ୍ବତନ୍ତ୍ର ରଣନୀତି କରାଯାଇଥିଲା। ଭିଡିଓ ଓ ଆଲେଖ୍ୟ ମାଧ୍ୟମରେ ବିଜେଡି ସରକାରର ବିଭିନ୍ନ ଯୋଜନାର ସୁଫଳ ଗଣାଯାଉଥିଲା ତ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରାଯାଉଥିଲା। ତେବେ ବିଜେପିର ଓଡିଆ ଅସ୍ମିତା କାର୍ଡ ଜନତାଙ୍କୁ ବେଶୀ ପସନ୍ଦ ଆସିଥିଲା।

ପ୍ରାର୍ଥୀଙ୍କ ପ୍ରଚାର ପ୍ରତିଦ୍ବନ୍ଦ୍ବୀଙ୍କୁ ପ୍ରହାର

ନିର୍ବାଚନରେ ଖବରକାଗଜ ଓ ଟିଭି ଚ୍ୟାନେଲ୍ ଅପେକ୍ଷା ଲୋକଙ୍କ ପାଖରେ ବେଶୀ ପହଞ୍ଚିଥିଲା ସୋସିଆଲ ମିଡିଆ। କିଛି ପ୍ରାର୍ଥୀ ନିଜସ୍ବ ଆକାଉଣ୍ଟରେ ବିଭିନ୍ନ ପ୍ରସଙ୍ଗ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଜୋରଦାର ପ୍ରଚାର କରିଥିଲେ । ଏଥିପାଇଁ କିଏ ସ୍ବତନ୍ତ୍ର ଟିମ୍ ରଖିଥିଲେ ତ କେହି କେହି ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାକୁ ଦାୟିତ୍ବ ଦେଇଥିଲେ। ୟୁଟ୍ୟୁବ, ଫେସବୁକ, ଇନଷ୍ଟ୍ରାଗ୍ରାମ ଓ ଏକ୍ସରେ ନିର୍ବାଚନକୁ ନେଇ ନାରେଟିଭ୍ ପ୍ରସ୍ତୁତ କରାଯାଇଥିଲା। ମତଦାନ ପୂର୍ବରୁ ହିଁ ପ୍ରତିପକ୍ଷକୁ ଡିଜିଟାଲ୍ ମାଧ୍ୟମରେ ପ୍ରହାର କରି ମାନସିକ ଭାବେ ପରାଜିତ କରିବାକୁ ପୋଷ୍ଟ ହେଉଥିଲା ଭିଡିଓ, ଫଟୋ ଓ ଆଲେଖ୍ୟ।

ନିର୍ବାଚନ ପରେ ସରିବ ନା ଚାଲିବ

ନିର୍ବାଚନ ଫଳାଫଳ ଆସିବା ପରେ ବି ସକ୍ରିୟ ରହିଛି ଦଳୀୟ ସୋସିଆଲ୍ ମିଡିଆ ଆକାଉଣ୍ଟ । ନୂଆ ସରକାରଙ୍କୁ ନେଇ ବିଜେପି ସୋସିଆଲ୍ ମିଡିଆ ଲୋକଙ୍କ ସରକାର ନାଁରେ ନାରେଟିଭ୍ ପ୍ରଚାର କରୁଛି । ମୋହନ ସରକାରର ବିଭିନ୍ନ ପଦକ୍ଷେପ କିଭଳି ଲୋକଙ୍କ ପାଇଁ ନିଆଯାଉଛି, କିଭଳି ଆସୁ ଆସୁ ଆକ୍ସନ ମୋଡରେ ରହିଛନ୍ତି ମୁଖ୍ୟମନ୍ତ୍ରୀ, ସେନେଇ ଭିଡିଓ ପୋଷ୍ଟ କରାଯାଉଛି। ୨୪ବର୍ଷରୁ ଅଧିକ ସମୟ ଧରି ଶାସନ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଆସନରେ। ତେଣୁ ବିଜେଡି ପକ୍ଷରୁ ଚାଲିଥିବା ଦଳୀୟ ସୋସିଆଲ୍ ମିଡିଆ ଅଫିସର କଳେବର କମିପାରେ। ତେବେ ବିରୋଧୀ ସାଜିଥିବା ବିଜେଡି ପାଇଁ ପୂର୍ବ ଅପେକ୍ଷା ସୋସିଆଲ ମିଡିଆର ଗୁରୁତ୍ବ ଅଧିକ। କାରଣ ଦଳର ଲୋକପ୍ରିୟତା କମିଥିବା ବେଳେ ବିଜେଡିକୁ ପୁଣି ଲୋକଙ୍କ ଭରସା ଜିତିବାକୁ ପଡିବ। ଏଥିସହ ଆବଶ୍ୟକସ୍ଥଳରେ ସରକାରଙ୍କୁ କାଠଗଡାକୁ ଟାଣି ସମାଲୋଚନା କରିବାକୁ ପଡିବ । ପୂର୍ବ ବିଜେଡି ସରକାର ଯେ, ଭଲ ଥିଲା ସେନେଇ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ପଡିବ । ଆଉ ଏସବୁ ପାଇଁ ସୋସିଆଲ ମିଡିଆ ବିଜେଡି ପାଇଁ ବଡ ଅସ୍ତ୍ର ହୋଇପାରିବ। ସେପଟେ ଦେଶରେ ଇଣ୍ଡିଆ ମେଣ୍ଟର ସଫଳତା ପରେ କଂଗ୍ରେସ ବି ସୋସିଆଲ୍ ମିଡିଆରେ ଆହୁରି ସକ୍ରିୟ ହେବା ଆବଶ୍ୟକ ।

Leave A Reply

Your email address will not be published.