ନୂଆଦିଲ୍ଲୀ: ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ନୋଟ୍ ବଣ୍ଡଲ । ସୁରକ୍ଷା କର୍ମୀଙ୍କ ଯାଞ୍ଚ ବେଳେ ସିଟ୍ ତଳୁ ନୋଟ ବଣ୍ଡଲ ମିଳିଥିବା ନେଇ ଗୃହରେ ଅବଗତ କରାଇଲେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ । ତେବେ ଏହି ନୋଟ୍ ବିଡାଟି କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଥିବାରୁ ଏହାକୁ ନେଇ ଗୃହରେ ବିରୋଧ ଦେଖାଦେଇଥିଲା । ବିଜେପି ଜୋରଦାର ପ୍ରସଙ୍ଗକୁ ତେଜିଥିବା ବେଳେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ହୋଇଛି ।
ତେବେ ଆଦାନୀ ପ୍ରସଙ୍ଗକୁ ନେଇ ବିଜେପିକୁ ଲଗାତାର ଘେରୁଥିବା କଂଗ୍ରେସ ଏବେ ବିଜେପି ଘେରରେ ପଡିଛି । ଆଜି ରାଜ୍ୟସଭା ସଦନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସୁରକ୍ଷା କର୍ମୀଙ୍କ ଯାଞ୍ଚ ଦ୍ବାରା ଗୃହ ମଧ୍ୟରୁ ନୋଟ ବିଡା ମିଳିଥିବା ନେଇ ଅବଗତ କରାଇଥିଲେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଧନକଡଙ୍କ ସୂଚନା ଅନୁଯାୟୀ, ସଂସଦ ସୁରକ୍ଷା କର୍ମୀଙ୍କ ନିୟମିତ ଯାଞ୍ଚ ବେଳେ ରାଜ୍ୟସଭା ଗୃହ ସିଟ୍ ନଂ ୨୨୨ରୁ ନୋଟ ବଣ୍ଡଲ ଜବତ ହୋଇଛି । ଯେଉଁ ସିଟ୍ ଟି କଂଗ୍ରେସ ସାଂସଦ ଅଭିଶେଷ ମନୁସିଙ୍ଘବିଙ୍କୁ ଆବଣ୍ଟନ କରାଯାଇଛି । ଯାହାକୁ ନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯାହାକୁ ନେଇ ପ୍ରତିକ୍ରିୟା ଦେଇ ନିଜେ ସାଂସଦ ଅଭିଶେଖ ଏଭଳି ଆରୋପକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ସେ ଏହା ବିଷୟରେ କିଛି ଜାଣିନାହାନ୍ତି । ଏନେଇ ସେ ପ୍ରଥମ ଥର ପାଇଁ ଅଭଗତ ହୋଇଛନ୍ତି । ସେ କେବଳ ୫୦୦ ଟଙ୍କାର ନୋଟ ନେଇ ସଂସଦ ଗୃହକୁ ପ୍ରବେଶ କରନ୍ତି ବୋଲି ମତ ରଖିଛନ୍ତି । ସେ ଆହୁରି କହିଛନ୍ତି, ମୁଁ ଗୁରୁବାର ୧୨.୫୭ରେ ଗୃହରେ ପହଞ୍ଚିଥିଲି । ଏହାପରେ ୧ଟା ବେଳେ ଗୃହରୁ ବାହାରି ସାଂସଦ ଅବଧେରା ପ୍ରସାଦଙ୍କ ସହ ୧.୩୦ ପର୍ଯ୍ୟନ୍ତ କ୍ୟାନଣ୍ଟିନରେ ବସିବା ପରେ ସଂସଦରୁ ଚାଲିଯାଇଥିଲି ।
ସେପଟେ ଟଙ୍କା ବଣ୍ଡଲ ମିଳିବା ପରେ ଏହାକୁ ନେଇ ସରଗରମ ହୋଇଛି ଗୃହ । ବିଜେପି କଂଗ୍ରେସକୁ ଘେରିଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ବିରୋଧ କରିଛନ୍ତି । ବିନା ତଦନ୍ତରେ କାହା ନାଁ ନେବା ଉଚିତ୍ ନୁହଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଖଡଗେ । ଯାହାକୁ ବିରୋଧ କରି ବିଜେପି କହିଛି, ନାଁ ଏବଂ ସିଟ୍ ନଂ କହିବାରେ କିଛି ବି ଅନୁଚିତ୍ ନାହିଁ । ସଂସଦ ଭିତରକୁ କ’ଣ ନୋଟ ବଣ୍ଡଲ ଅଣାଯାଇପାରିବ କି? ସେନେଇ ତଦନ୍ତ ହେବା ଦରକାର ବୋଲି ଦାବି କରିଛି ବିଜେପି । ବିଜେପି ଅଧ୍ୟକ୍ଷ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । ଏଭଳି ଘଟଣା ଗମ୍ଭୀର ହୋଇଥିବା ବେଳେ ଏହା ଗୃହର ଗାରିମା ନଷ୍ଟ କରୁଛି ବୋଲି ମତ ରଖିଛନ୍ତି ।
Comments are closed.