Latest Odisha News

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଧାର୍ଯ୍ୟ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାକୁ ଦୁଇ ମାସ ପୂରଣ ହେବାକୁ ଯାଉଛି। ଅଭିଯୁକ୍ତ ଗୋପାଳ ଦାସକୁ ଛାଡିଦେଲେ ତଦନ୍ତକାରୀ ଟିମ୍ ଅନ୍ୟ କଣ ପଦକ୍ଷେପ ନେଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି। ସେହିପରି ଏଡିଜି ଅରୁଣ ବୋଥ୍ରାଙ୍କ ଭଳି ଦକ୍ଷ ଅଫିସର ତଦନ୍ତ କରୁଥିଲେ ମଧ୍ୟ କାହିଁକି ଏଯାବତ ଚାର୍ଜସିଟ୍ ଦାଖଲ ହୋଇପାରୁନି ବୋଲି ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଆଉ କହିଛନ୍ତି, ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ପାଇଁ ଅନୁଦାନ ଦାବି ଉପରେ ହୋଇଥିବା ଆଲୋଚନାରେ ଉତ୍ତର ରଖି ସେ କହିଛନ୍ତି ଯେ, ତଦନ୍ତ ଜାରି ରହିଛି ଏବଂ ଚାର୍ଜସିଟ ଦାଖଲ ପାଇଁ ଆଇନ ଦେଇଥିବା ସମୟ ସୀମା ମଧ୍ୟରେ ତଦନ୍ତ ଚାଲିଛି। ସେହି ଅନୁସାରେ କାର୍ଯ୍ୟ କରାଯିବ।

ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡ ସମ୍ପର୍କରେ ଏଯାଏ ଅଭିଯୁକ୍ତ ବ୍ୟକ୍ତି ପାଗଳ ବୋଲି ସରକାର କିମ୍ବା କୌଣସି ପୋଲିସ ଅଧିକାରୀ କେବେ କହି ମିଡିଆ ସାମ୍ନାରେ କହିନାହାନ୍ତି। ତେଣୁ ବିରୋଧୀ କିପରି ଏପରି କପରି କହୁଛନ୍ତି ବୋଲି ନବୀନ ପଚାରିଛନ୍ତି।

ସଂକୀର୍ଣ୍ଣ ରାଜନୈତିକ ଫାଇଦା ପାଇଁ ବିରୋଧୀ ମିଛ କହୁଛନ୍ତି। ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ସବୁବେଳେ ନ୍ୟାୟ ପାଇଁ ଛିଡା ହୋଇଛି। ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାର ତଦନ୍ତ ପାଇଁ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମେତ ପେସାଦାର ଏଜେନ୍ସିଗୁଡ଼ିକ ସହିତ ଜଡିତ ସମସ୍ତ ବୈଜ୍ଞାନିକ ପ୍ରକ୍ରିୟାକୁ ପୋଲିସ ଅନୁସରଣ କରିଛି। ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ସମଗ୍ର ତଦନ୍ତକୁ ତଦାରଖ କରାଯାଉଛି, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତଦନ୍ତରେ ସରକାର କିଛି ଲୁଚାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ଏହା ନିନ୍ଦନୀୟ ଏବଂ ରାଜନୈତିକ ସୁବିଧାବାଦର ପରିଚାୟ ବୋଲି ସେ କହିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ବିରୋଧୀଙ୍କ ଦ୍ୱାରା ଅଭିଯୋଗ କରାଯାଇଥିବା ସମସ୍ତ ଚାଞ୍ଚଲ୍ୟକର ମାମଲାରେ ନ୍ୟାୟ ମିଳିବ ଏବଂ ଦୋଷୀଙ୍କୁ ଦଣ୍ଡିତ କରାଯିବ ଏବଂ ଯେତେବେଳେ ଏହା ଘଟିବ ସେତେବେଳେ ଲୋକମାନେ ବିରୋଧୀଙ୍କ ସଙ୍କୀର୍ଣ୍ଣ ରାଜନୈତିକ ମାନସିକତାକୁ ନେଇ ପ୍ରଶ୍ନ ଉଠାଇବେ।

 

Leave A Reply

Your email address will not be published.