Latest Odisha News

ଶେଷ ହେଲା ରଥଟଣା, ଆଜି ଜନ୍ମବେଦୀକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶେଷ ହୋଇଛି ରଥଟଣା । ଗତକାଲି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଛି ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଛି ନନ୍ଦିଘୋଷ ରଥ । ଶରଧା ବାଲିରେ ଲାଗିଛି ୩ ରଥ । ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଜି ସଂଧ୍ୟାରେ ହେବ ପହଣ୍ଡି । ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ । ଆସନ୍ତା କାଲିଠାରୁ ହେବ ଆଡପ ଦର୍ଶନ । ମା’ ହାତ ତିଆରି ପ୍ରସାଦ ଖାଇବେ ମହାପ୍ରଭୁ । ଭକ୍ତଙ୍କୁ ମିଳିବ ଆଡପ ଅବଢା ।

ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ରଥରୁ ଓହ୍ଲାଇ ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ । ଶେଷରେ କାଳିଆ ଠାକୁର ରଥରୁ ଓହ୍ଲାଇ ଜନ୍ମବେଦୀରେ ବିଜେ କରିବେ । ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି । ଆଜି ଦିନ ସାରା ରଥରେ ମହାପ୍ରଭୁ ରଥ ଉପରେ ଭକ୍ତଙ୍କୁ ଦର୍ଶନେ ଦେବେ । ସଂଧ୍ୟାରେ ଗୋଟି ପହଣ୍ଡରେ ଜନ୍ମବେଦୀକୁ ଯିବେ ଶ୍ରୀଜିଉ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।

ରଥଯାତ୍ରା ପାଇଁ ଗତକାଲି ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଥିଲା ବଡଦାଣ୍ଡରେ । ଭକ୍ତ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରେ ପହଞ୍ଚିଥିଲେ ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ଆଣିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଉଲ୍ଲେଖଯୋଗ୍ୟ, ଚଳିତ ଥର ରଥଯାତ୍ରା ଟିକେ ସ୍ବତନ୍ତ୍ର। କାରଣ  ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।କାହିଁକି ନା ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ତେଣୁ ଏଥର ୧୯୭୧ ଆଧାରରେ ସମସ୍ତ କାର୍ଯ୍ୟ ହେବ ।

 

 

Comments are closed.