Latest Odisha News

BREAKING NEWS

ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ, ନିର୍ଦ୍ଧାରିତ ସମୟ ଆଗରୁ ହେଲା ରଥଟଣା

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କର ନବଦିନାତ୍ମକ ଯାତ୍ରା । ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରୀଜଗନ୍ନାଥ । ରଥ ଉପରେ ସମସ୍ତ ନୀତିକାନ୍ତି ସରିବା ପରେ ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ । ନିର୍ଦ୍ଧାରିତ ସମୟର ବହୁ ଆଗରୁ ରଥଟଣା ଆରମ୍ଭ ହୋଇଛି ।

ତିନି ରଥ ଉପରେ ଛେରା ପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରଥଟଣା ।

ଶରଧାବାଲି ଅଭିମୁଖେ ସିଂହଦ୍ୱାରରୁ ତିନି ରଥକୁ ଟାଣି ନେୁଛନ୍ତି ସେବାୟତ । ଆଗେ ଆଗେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ପଛରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସବା ଶେଷରେ ଅଛି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଷୋଘ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଛି ।

କୋଭିଡ୍ କଟକଣାରେ ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡୁଛି ତିନି ରଥ । ଘଣ୍ଟଘଣ୍ଟାରେ ସାରା ଅଞ୍ଚଳ ପୂରି ଉଠୁଛି । ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଚଳିତବର୍ଷ ପୁରୀକୁ ସାଧାରଣ ଭକ୍ତଙ୍କୁ ବାରଣ ହୋଇଛି । ପୁରୀର ଜନତା ମଧ୍ୟ ନିଜ ଘରର ଛାତ ଉପରେ ଥାଇ ରଥଯାତ୍ରାକୁ ଦେଖିପାରୁ ନାହାନ୍ତି । ଘରେ ରହି ଟିଭି ପରଦାରେ ମହାପ୍ରଭୁଙ୍କ ଏହି ରଥଯାତ୍ରାକୁ ଦେଖୁଛନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.