ଭୁବନେଶ୍ୱର: ଜାନୁଆରୀ ୧୪ରୁ ୧୬ ପର୍ଯ୍ୟନ୍ତ କିଟରେ ଅନୁଷ୍ଠିତ ହେବାକୁ ଯାଉଛି ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ। ଭାରତରେ କିଟରେ ପ୍ରଥମ ଥର ଲାଗି ଚେସ୍ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି।
ଅନ୍ତର୍ଜାତୀୟ ଚେସ୍ ସଂଘ (ଏଫ୍ଆଇଡିଇ) ଓ ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍ର ଏହି ମହାକୁମ୍ଭରେ ଏଫ୍ଆଇଡିଇର ସଭାପତି ତଥା ଋଷ୍ର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍, ଏଫ୍ଆଇଡିଇର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ, ଏଫ୍ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍, ଏଆଇସିଏଫ୍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍ନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍ଘାଟନ କରିବେ। ଉଭୟ କିଟ୍ କ୍ୟାମ୍ପସ୍ ଓ ହୋଟେଲ୍ ମେ ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ।
ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଯୋଗ ଦେବେ। ଏହା ସହିତ ମୋଟ ୫ ହଜାର ୨ଶହ ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏନେଇ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ କିଟରେ ପ୍ରଥମ ଥର ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୌରବର ବିଷୟ। ଏହା ଦ୍ୱାରା ଓଡ଼ିଶାର ଖେଳାଳିମାନେ ବିଶେଷ ସୁଯୋଗ ପାଇବେ।