Latest Odisha News

BREAKING NEWS

“ଓଡ଼ିଶା ଖୋଲୁନି ହୀରାକୁଦ ଗେଟ୍; ଛତିଶଗଡ଼ରେ ବନ୍ୟା ପରିସ୍ଥିତି”

ଭୁବନେଶ୍ୱର: ହୀରାକୁଦରେ ଗେଟ୍ ଖୋଲାଯାଉନି, ତେଣୁ ଛତିଶଗଡ଼ରେ ଭୟଙ୍କର ବନ୍ୟା ପରିସ୍ଥିତି । ଛତିଶଗଡ଼ ସରକାରର ମୁଖ୍ୟ ଯନ୍ତ୍ରୀ ରାକେଶ କୁମାର ନଗେରିଆ ଏହି ଅଭିଯୋଗ କରିଛନ୍ତି ।

ନଗେରିଆ କହିଛନ୍ତି ଯେ- ହୀରାକୁଦ କର୍ତ୍ତୃପକ୍ଷ ଠିକ୍ ଭାବେ ଗେଟ୍ ଖୋଲୁନାହାନ୍ତି ବୋଲି ଛତିଶଗଡ଼ରେ ବନ୍ୟାର ଭୟଙ୍କର ପରିସ୍ଥିତି ଉପୁଜିଛି । ଛତିଶଗଡ଼ ଉପର ମୁଣ୍ଡରେ ରହିଛି, ଓଡ଼ିଶାର ଅବସ୍ଥିତି ତଳ ମୁଣ୍ଡ।

ତେଣୁ ଛତିଶଗଡ଼ରୁ ଆସୁଥିବା ଜଳକୁ ହୀରାକୁଦରେ ନିୟନ୍ତ୍ରଣ କରାଯାଇଥାଏ । ଏବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ ବନ୍ୟା ପରସ୍ଥିତି ନିୟନ୍ତ୍ରଣ କରିବାକୁ ତଳ ମୁଣ୍ଡକୁ ଜଳ ନିଷ୍କାସନ କରିବାରେ ଲାଗିଛି ।

କିନ୍ତୁ ହୀରାକୁଦରେ ଗେଟ୍ ଖୋଲା ନ ଯିବାରୁ ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ହୋଇ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଛତିଶଗଡ଼ ନାକେଦମ ହୋଇସାରିଲାଣି ବୋଲି ଛତିଶଗଡ଼ ମୁଖ୍ୟ ଯନ୍ତ୍ରୀ ରାକେଶ ନଗେରିଆ କହିଛନ୍ତି ।

ଛତିଶଗଡ଼ର ମୁଖ୍ୟ ଯନ୍ତ୍ରୀ ରାକେଶ ନଗେରିଆ ଓଡ଼ିଶାର ଏକ ଗଣମାଧ୍ୟମ ସହ ଆଲୋଚନା କରି ତାଙ୍କ ରୋଷ ପ୍ରକାଶ କରିଛନ୍ତି । ଛତିଶଗଡ଼ରେ ବନ୍ୟା ପରିସ୍ଥିତି ପାଇଁ ସେ ସଂପୂର୍ଣ୍ଣ ରୂପେ ଓଡ଼ିଶାକୁ ଦାୟୀ କରିଛନ୍ତି ।

ନଗେରିଆ ସ୍ପଷ୍ଟ କହିଛନ୍ତି ଯେ- ଓଡ଼ିଶା କର୍ତ୍ତୃପକ୍ଷ ହୀରକୁଦରେ ଗେଟ୍ ଖୋଲୁୁନାହାନ୍ତି, ତେଣୁ ଛତିଶଗଡ଼ରେ ବନ୍ୟା ପରିସ୍ଥିତି ଉପୁଜିଛି ।

ଏବେ ହୀରାକୁଦରେ ଶୀଘ୍ର ଗେଟ୍ ଖୋଲାଯିବା ଆବଶ୍ୟକ । ଯଦ୍ୱାରା ଛତିଶଗଡ଼ରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣକୁ ଆସିପାରିବ । ପୂର୍ବରୁ ଓଡ଼ିଶା କର୍ତ୍ତୃପକ୍ଷ ଛତିଶଗଡ଼କୁ ଏଭଳି ହଇରାଣ କରିସାରିଛନ୍ତି ବୋଲି ନଗେରିଆ ଅଭିଯୋଗ କରିଛନ୍ତି ।

ସେପଟରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ଷା ହେବା ସ୍ୱାଭାବିକ କଥା। ବ୍ୟରେଜର ଧର୍ମ ହେଉଛି ବର୍ଷା ଦିନ ଆସିଲେ ବ୍ୟରେଜ ଖୋଲାଯିବ। ବ୍ୟାରେଜକୁ ବନ୍ଦ ରଖାଯାଇ ପାରିବନାହିଁ ।

ଛତିଶଗଡ ଯେଉଁ କଲମା ବ୍ୟରେଜ କରିଛି ତାକୁ ବନ୍ଦ ରଖିପାରିବେନି । ନହେଲେ ଭାଙ୍ଗିଯିବ। ତେଣୁ ସେମାନେ ଖୋଲି କରି ଦେଉଛନ୍ତି। ଏପରି ସ୍ଥିତିରେ ତାଙ୍କୁ ଦାୟୀ କରିବା ଠିକ୍ ହେବ ନାହିଁ। ସେମାନେ ଚାହିଁଲେ ମଧ୍ୟ ଉପରମୁଣ୍ଡର ବର୍ଷା ପାଣିକୁ ରୋକିପାରିବେନି।

କମିଶନର ଜେନା ଆହୁରି କହିଛନ୍ତି ଯେ, ଛତିଶଗଡ଼ ସରକାରଙ୍କ ତରଫରୁ ଆହୁରି ଅଧିକ ଗେଟ ଖୋଲିବା ପାଇଁ ଅନୁରୋଧ କରାଯାଉଛି। ଆମେ କିନ୍ତୁ ତାଙ୍କ ଅନୁସାରେ ହୀରାକୁଦ ଗେଟ ଖୋଲିପାରିବୁନି। ସ୍ଥିତି ଦେଖି ଆମେ ପଦକ୍ଷେପ ନେବୁ ବୋଲି ଏସଆରସି କହିଛନ୍ତି।

ଏବେ ୩୪ଟି ଗେଟ ଖୋଲାଯାଇଛି। ଇଞ୍ଜିନିୟର ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିବା ପରେ ପଦକ୍ଷେପ ନିଆଯିବ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

Leave A Reply

Your email address will not be published.