Latest Odisha News

BREAKING NEWS

ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ମାରିଲା ପରିଚାଳନା କମିଟି, ସନ୍ଧ୍ୟା ୫ଟା ରେ ହେବ ରଥଟଣା

ପୁରୀ: ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ମାରିଲା ପରିଚାଳନା କମିଟି । ଛତିଶା ନିଯୋଗ ବୈଠକରେ ନିର୍ଦ୍ଦାରିତ ହୋଇଥିବା ମହାପ୍ରଭୁଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟକୁ ଆଜି ଅନୁମୋଦନ କରିଛି ପରିଚାଳନା କମିଟି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୋମବାର ଛତିଶା ନିଯୋଗ ବୈଠକ ବସିଥିବା ବେଳେ ମଙ୍ଗଳବାର ବସିଥିଲା ପରିଚାଳନା କମିଟି ବୈଠକ । ବୈଠକରେ ଛତିଶା ନିଯୋଗର ରଥଯାତ୍ରା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ନେଇ ନିଆଯାଇଥିବା ନିଷ୍ପତ୍ତିକୁ ଅନୁମୋଦନ ମିଳିଛି । ଏହା ସହ ଯାହା ସବୁ ପୁରୁଣା ରେକର୍ଡ ରହିଛି ସେସବୁକୁ ଡିଜିଟାଇସନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ସୋମବାର ନୀତି ସବକମିଟି ଓ ଛତିଶା ନିଯୋଗର ଯୁଗ୍ମ ବୈଠକ ବସିଥିଲା । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତିରେ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ ଟାରେ ରଥଟଣା କାର୍ଯ୍ୟକ୍ରମ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିବେ । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ଏଥିପାଇଁ ପଟିଦିଅଁଙ୍କ ଠାରୁ ନୁହେଁ ବରଂ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ବିଜେ ହେବ ବୋଲି ମହାପ୍ରଭୁଙ୍କ ବାଡଗ୍ରାହୀ କହିଛନ୍ତି। ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହାରେ ରଥଯାତ୍ରା ବେଳେ ଏଭଳି ତିଥି ପଡିଥିବାରୁ ଏଥର ସେହି ଆଧାରରେ ସମସ୍ତ କାର୍ଯ୍ୟ ହେବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ।

ଚଳିତବର୍ଷ ତିଥି କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା,, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ ୫ ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ। ତେବେ ଛତିଶା ନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତି ୨ଟା ରେ ମଙ୍ଗଳ ଆଳତୀ, ୨. ୪୦ରେ ଦଶଵତାର ଠାକୁର ବାହୁଡା ବିଜେ, ୩ଟା ରେ ଅଣସର ତାଟି ଫିଟିବ, ୩.୪୫ଟା ରେ ଦଇତାପତି ସର୍ବାଙ୍ଗ, ୪ଟା ରେ ନେତ୍ରୋତ୍ସବ ବନ୍ଦାପନା, ୫.୨୫ରେ ଦ୍ୱାରପାଳ ପୂଜା, ସକାଳ ୬ ଟାରୁ ୭ ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ, ୭.୩୦ ରୁ ୧୨ ଟା ମଧ୍ୟରେ ସେନାପଟା ଲାଗି, ଦିନ ୧୧ଟା ରେ ରଥ ପ୍ରତିଷ୍ଠା, ଦିନ ୧ଟା ରେ ମଙ୍ଗଳାର୍ପଣ, ଦିନ ୧.୧୦ ରେ ଧାଡି ପହଣ୍ଡି ଆରମ୍ଭ, ଦିନ ୨.୩୦ ରେ ପହଣ୍ଡି ଶେଷ, ଅପରାହ୍ନ ୪ଟା ରେ ଛେରାପହଁରା, ଅପରାହ୍ନ ୪.୩୦ ରେ ଚାରଫିଟା ଓ ଘୋଡା ସାରଥୀ ଲାଗିବା ଓ ଅପରାହ୍ନ ୫ଟା ରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାହା ଉପରେ ମୋହର ମାରିଛନ୍ତି ପରିଚାଳନା କମିଟି ।

Comments are closed.