Latest Odisha News

BREAKING NEWS

ଏକ ଦଶନ୍ଧି ପରେ ଲୋକସଭା ନିର୍ବାଚନକୁ ଓହ୍ଲାଇବେ ଭୂପେଶ ବଘେଲ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରାୟ ଏକ ଦଶନ୍ଧି ପରେ ଲୋକସଭା ନିର୍ବାଚନୀ ରେସକୁ ଫେରିଛନ୍ତି ।  ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ଭୂପେଶ ବଘେଲଙ୍କ ନାଁ ରହିଛି ।

ବଘେଲ ବିଜେପିର ଗଡ଼ କୁହାଯାଉଥିବା ରାଜନନ୍ଦଗାଁଓ ଲୋକସଭା ସଂସଦୀୟ କ୍ଷେତ୍ରରୁ  ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ଶେଷଥର ୨୦୦୯ରେ ରାୟପୁର ସଂସଦ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ହାରିଥିଲେ ।

ଏପାଖେ ବିଜେପିର ସାନ୍ତୋଷ ପାଣ୍ଡେ ପୁଣି ଥରେ ରଜନନ୍ଦଗାଁଓରୁ ନିର୍ବାଚନ ଲଢ଼ିବେ । ୨୦୧୪ରୁ ପାଣ୍ଡେ ଏହି ନିର୍ବାଚନମଣ୍ଡଳୀରୁ ଜିତି ଆସୁଛନ୍ତି ।

ଭୂପେଶ ବଘେଲ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଛତିଶଗଡ଼ର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ତୁଲାଇଥିଲେ । ବଘେଲ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଛତିଶଗଡ଼ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଥିଲେ । ବର୍ତ୍ତମାନ ସେ ଛତିଶଗଡ଼ ପାଟଣା ବିଧାନସଭା କ୍ଷେତ୍ରରୁ  ବିଧାୟକ ଅଛନ୍ତି ।

କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ବଘେଲଙ୍କ ସମେତ ଛତିଶଗଡ଼ର ଆଉ ପାଞ୍ଚ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଛି ।  ଶିବକୁମାର ଡେହରିୟା ଜାଙ୍ଗୀର-ଚମ୍ପାରୁ ନିର୍ବାଚନ ଲଢ଼ିବେ । ଜୋସନା ମହନ୍ତ କୋରବାରୁ, ରାଜେନ୍ଦ୍ର ସାହୁ ଦୁର୍ଗରୁ, ବିକାଶ ଉପାଧ୍ୟାୟ ରାୟପୁରରୁ ଓ ତାମ୍ରଧ୍ୱଜ ସାହୁ ମହାସମୁନ୍ଦରୁ ନିର୍ବାଚନ ଲଢ଼ିବେ ।

ସୂଚନାଯୋଗ୍ୟ,  କଂଗ୍ରେସ ତାର ପ୍ରଥମ ପ୍ରାର୍ଥୀ ତାଲିକାରେ ୩୯ ଜଣଙ୍କୁ ଟିକେଟ୍ ଦେଇଛି ।  ସେଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଁ ରହିଛି । ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ତୁଳନାରେ କଂଗ୍ରେସର ତାଲିକା ଛୋଟ ଥିବା ଦେଖିବାକୁ ମିଳିଛି ।  ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୩୪ ଜଣ କେନ୍ଦ୍ରୀୟ ଓ ରାଜ୍ୟମନ୍ତ୍ରୀଙ୍କୁ ଟିକେଟ୍ ମିଳିଛି ।

କଂଗ୍ରେସ କର୍ଣ୍ଣାଟକ, ଛତିଶଗଡ଼, କେରଳ, ଲକ୍ଷାଦ୍ୱୀପ, ମେଘାଳୟ, ନାଗାଲାଣ୍ଡ, ସିକିମ୍, ତେଲେଙ୍ଗାନା ଓ ତ୍ରିପୁରା ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

Leave A Reply

Your email address will not be published.