Latest Odisha News

BREAKING NEWS

ଛତିଶଗଡ଼ରେ ନିର୍ବାଚନୀ ହିଂସା: କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା

ରାୟପୁର: ଛତିଶଗଡର ନାରାୟଣପୁର ବଖରପୁରାରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା । କିଛି ଦୁର୍ବୁତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ଏପରି ତିନି ଥର ଗୁଳି ଚଳାଇଥିଲେ । ଯେଉଁଥିରେ ଗୋଟିଏ ଗୁଳି ବିକ୍ରମ ବେସଙ୍କ ମୁଣ୍ଡରେ ବାଜିଥିବାବେଳେ, ଦ୍ୱିତୀୟ ଗୁଳି ତାଙ୍କ ପେଟରେ ଏବଂ ତୃତୀୟ ଗୁଳି ତାଙ୍କ ଛାତି ବାଜିଥିବା ସୂଚନା ରହିଛି ।

ଖବର ମୁତାବକ, ରାତି ପ୍ରାୟ ୯ଟା ସମୟରେ ଦୁର୍ବୁତ୍ତ ମାନେ ଏହି କାଣ୍ଡ ଘଟାଇଛନ୍ତି । ଗୁଳି ର ଶବ୍ଦ ଶୁଣି ଆଖପାଖର ଲୋକମାନେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଂଗ୍ରେସ ନେତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ବିଷୟରେ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ ଟିମ୍ ।

ତେବେ ବିକ୍ରମ ବେସ ବ୍ଲକ କଂଗ୍ରେସ ଉପାଧ୍ୟକ୍ଷ ଥିଲେ । ନାରାୟଣପୁରର ପୂର୍ବତନ ବିଧାୟକ ଚନ୍ଦନ କଶ୍ୟପଙ୍କ ଅତି ନିକଟତର ଥିଲେ ବିକ୍ରମ । ଏହା ସହ ନାରାୟଣପୁରର ଜଣେ ବଡ ବ୍ୟବସାୟୀ ହେବା ବ୍ୟତୀତ ସେ ମାଲକ ପରିବହନ ସଂଘର ସଚିବ ମଧ୍ୟ ଥିଲେ । ତେବେ କିଏ ଆଉ କେଉଁ କାରଣରୁ ତାଙ୍କୁ ହତ୍ୟା କଲା ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Comments are closed.