ବିଜାପୁର: ଏବେ ସାରା ଦେଶରେ ଛତିଶଗଡ ବିଜାପୁରରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ଘଟଣା ଚହଳ ପକାଇଥିବା ବେଳେ ଏହି ହତ୍ୟା ମିଷ୍ଟ୍ରି ଉପରୁ ଏବେ ପରଦା ହଟିଛି । ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କୁ ମାରିବା ପାଇଁ ନାରକୀୟ କାଣ୍ଡ ରଚିଥିଲା ସମ୍ପର୍କୀୟ ଭାଇ । ଯାହାର ପରଦାଫାସ୍ କରି ଏଥିରେ ସମ୍ପର୍କୀୟ ଭାଇଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍ ।
ତେବେ ଗତ ୧ ତାରିଖରୁ ଛତିଶଗଡ ବିଜାପୁର ଜିଲ୍ଲାର ଜଣେ ସାମ୍ବାଦିକ ମୁକେଶ ଚନ୍ଦ୍ରାକାର ନିଖୋଜ ରହିଥିବା ବେଳେ ଗତ ୩ ତାରିଖରେ ତାଙ୍କ ମୃତ ଦେହ ସନ୍ଦେହଜନକ ଭାବେ ପାଇଖାନା ଟାଙ୍କିରୁ ମିଳିଥିଳା । ଯାହାକୁ ନେଇ ତନାଘନା ଆରମ୍ଭ କରିଥିବା ବେଳେ ଏଥିରେ ଜଣେ ଠିକାଦାରଙ୍କ ସମ୍ପୃକ୍ତି ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ୍ ଏନେଇ ପଚରାଉଚରା ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ, ମୁକେଶ ବିଜାପୁର ଜିଲ୍ଲାର ବସ୍ତର ଅଞ୍ଚଳର ନିମ୍ନମାନର ରାସ୍ତା ନିର୍ମାଣ ନେଇ ଖବର ପ୍ରସାରଣ କରିଥିଲେ । ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା। ପରେ ଏହା ବଢ଼ି ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତଥା ଏହାର ମାନ ଓ ଲମ୍ବ କିମ୍ବା ଓସାରରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ୧୨୦ କୋଟି ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ମୁକେଶ ପ୍ରଶ୍ନ ଉଠାଇଥିଲେ ଓ ଏଥିରେ କେମିତି ଦୁର୍ନୀତି ହୋଇଛି, ସେ ନେଇ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଏଥିରେ ଠିକାଦାର ଉତ୍ୟକ୍ତ ହୋଇ ସମ୍ପର୍କୀୟ ଭାଇ ସହ ମିଶି ମୁକେଶ ମାରି ଫାଇଖାନା ଟାଙ୍କି ଭିତରେ ପିଙ୍ଗି ଦେଇଥିଲେ ।