ଭୁବନେଶ୍ୱର: ଆଜି ବିଶ୍ୱ ଛେନାପୋଡ଼ ଦିବସ । ଏପ୍ରିଲ ୧୧ ତାରିଖ ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନ। ତାଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଉଛ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ସୋସିଆଲ ମିଡିଆ ଏକ୍ସେ ସେ ଲେଖିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ଛେନାପୋଡ଼। ଆଜି ‘ଛେନାପୋଡ଼ ଦିବସ’ରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଓଡ଼ିଶାର ଏହି ନିଆରା ସ୍ୱାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା।
ଛେନାପୋଡ ଖାଲି ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ ହୋଇଛି । ଓଡିଶାର ଏକ ସ୍ବତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ରୁ ଛେନାପୋଡ ଅନ୍ୟତମ । ବାହୁଡା ଦିନ ଛେନାପୋଡ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ ।
୨୦୨୨ରେ ପ୍ରଥମେ ହେଲପିଙ୍ଗ୍ ହ୍ୟାଣ୍ଡସ୍ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇ ସମଗ୍ର ଦେଶକୁ ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ବୋଲି ଦର୍ଶା ଯାଇଥିଲା। ପରେ ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଯଦିଓ ଛେନାପୋଡ଼ ନୟାଗଡ଼ ଜିଲ୍ଲାରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସମଗ୍ର ରାଜ୍ୟବାସୀଙ୍କ ଦ୍ୱାରା ମାନ୍ୟତା ପାଇଛି, ଆଜି ପର୍ଯ୍ୟନ୍ତ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ଛେନାପୋଡ଼ ‘ଆଞ୍ଚଳିକ ଏବଂ ଭୌଗୋଳିକ ଉତ୍ପାଦନ’ ଭାବେ ସ୍ୱୀକୃତି ପାଇପାରି ନାହିଁ।
ଅନ୍ୟପଟେ ଏହି ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛେନାପୋଡ଼ ଦିବସରେ x’ ରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ‘ଛେନାପୋଡ଼’ ଏକ ଆବେଗ, ପ୍ରତିଟି ଓଡ଼ିଆଙ୍କ ଏହା ପ୍ରତି ରହିଛି ଅହେତୁକ ଆଦର। ଆସନ୍ତୁ ଓଡ଼ିଶାର ପାରମ୍ପରିକ ମିଠା ‘ଛେନାପୋଡ଼’କୁ ଆହୁରି ଲୋକାଦୃତ କରିବା, ସମସ୍ତେ ମିଶି ଖୁସିରେ ‘ଛେନାପୋଡ଼ ଦିବସ’ ପାଳିବା।
Comments are closed.