Latest Odisha News

ଚିଦାମ୍ବରମଙ୍କ ଚା’ ଚର୍ଚ୍ଚା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଚା’ ଦର ସଂପର୍କିତ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ଭାଇରାଲ ହେଉଛି ଚିଦାମ୍ବରମଙ୍କ ଚା’ ପୋଷ୍ଟ । ପୁଣି ଥରେ ଚିଦାମ୍ବରମ ଏୟାରପୋର୍ଟରେ ମହଙ୍ଗା ଚା’ ମୂଲ୍ୟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସୋସିଆଲ ମିଡିଆରେ ଚିଦାମ୍ବରମଙ୍କ ଚା’ ପୋଷ୍ଟ୍

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ମୁଦ୍ରାସ୍ଫୀତି ସଂପର୍କିତ ଏକ ପୋଷ୍ଟ ବେଶ୍ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପୋଷ୍ଟରେ ଚିଦାମ୍ବରମ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଛନ୍ତି । ଆଉ ଏହାକୁ ଦେଶର ଏୟାରପୋର୍ଟରେ ମିଳୁଥିବା ଚା’ ଦର ସହ ଯୋଡିଛନ୍ତି ଚିଦାମ୍ବରମ । ତାମିଲନାଡୁ ତୁଳନାରେ ପଶ୍ଚିମବଙ୍ଗରେ ମୁଦ୍ରାସ୍ପୀତି ଅଧିକ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ।

ଏୟାରପୋର୍ଟରେ ଏକ କପ୍ ଚା’ ୩୪୦ ଟଙ୍କା !

ଦେଶର ଏୟାରପୋର୍ଟଗୁଡିକରେ ମିଳୁଥିବା ଚା’ର ଦାମ୍ ଚିଦାମ୍ବରମଙ୍କୁ ଚକିତ କରିଛି । ଏକ୍ସରେ ପୋଷ୍ଟ କରି ଚିଦାମ୍ବରମ ଲେଖିଛନ୍ତି ଯେ, ତାମିଲନାଡୁ ତୁଳନାରେ ପଶ୍ଚିମବଙ୍ଗରେ ମୁଦ୍ରାସ୍ପୀତି ହାର ଅଧିକ । କୋଲକାତା ଏୟାରପୋର୍ଟରେ କେବଳ ଗରମ ପାଣି ଓ ଟି-ବ୍ୟାଗ୍ ର ଏକ ସାଧାରଣ ଚା’ ପାଇଁ ତାଙ୍କୁ ୩୪୦ ଟଙ୍କା ଗଣିବାକୁ ପଡିଲା । କୋଲକାତା ଏୟାର ପୋର୍ଟରେ ଦି କଫି ବିନ୍ ଆଣ୍ଡ୍ ଟି ଲିଫ୍ ନାମକ ଏକ ରେଷ୍ଟୁରାଂଟରୁ ସେ ମଗାଇଥିବା ଚା’ର ମୂଲ୍ୟ ୩୪୦ ଟଙ୍କା ଥିଲା ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ଚିଦାମ୍ବରମ ।

ତାମିଲନାଡୁ ଅଭିଜ୍ଞତାର ଉଦାହରଣ ଦେଲେ ପି.ସି

କୋଲକାତା ଏୟାରପୋର୍ଟରେ ଚା’ର ଅତ୍ୟଧିକ ମୂଲ୍ୟକୁ ଦେଖି ତାମିଲନାଡୁର ଚେନ୍ନାଇ ଏୟାରପୋର୍ଟରେ ତାଙ୍କର ପୂର୍ବ ଅଭିଜ୍ଞତା ମନେ ପକାଇଥିଲେ ଚିଦାମ୍ବରମ । କିଛି ବର୍ଷ ପୂର୍ବେ ଚେନ୍ନାଇ ଏୟାରପୋର୍ଟରେ ସେ ଏକ କପ୍ ଚା’ ପାଇଁ ଦେଇଥିଲେ ୮୦ ଟଙ୍କା । ସେ ଦୃଷ୍ଟିରୁ ତାମିଲନାଡୁରୁ ପଶ୍ଚିମବଙ୍ଗରେ ମୁଦ୍ରାସ୍ପୀତି ହାର ଅଧିକ ବୋଲି କହିଛନ୍ତି କଂଗ୍ରେସ ରାଜ୍ୟସଭା ସଦସ୍ୟ । ଚେନ୍ନାଇ ଏୟାରପୋର୍ଟରେ ଚା’ କପ୍ ମୂଲ୍ୟ ୮୦ ଟଙ୍କା ନେଇ ଚିଦାମ୍ବରମ ଟ୍ୱିଟ୍ କରିଥିଲେ । ଏହା ପରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଚା’ ଦର କମାଇବା ପାଇଁ ପଦକ୍ଷେପ ନେଇଥିଲା ।

ପୁଣି ଚର୍ଚ୍ଚାରେ ଏୟାରପୋର୍ଟର ମହଙ୍ଗା ଜିନିଷ

ଚା’କପ୍ ମୂଲ୍ୟ ୩୪୦ ଟଙ୍କା ନେଇ ପି. ଚିଦାମ୍ବରମଙ୍କ ସୋସିଆଲ ମିଡିଆ ପୋଷ୍ଟ ଏୟାରପୋର୍ଟରେ ମିଳୁଥିବା ସାମଗ୍ରୀର ଅତ୍ୟଧିକ ଦାମ ପ୍ରତି ପୁଣି ଥରେ ଦୃଷ୍ଟି ଆକର୍ଷଣ କରିଛି । ଏୟାରପୋର୍ଟରେ ମିଳୁଥିବା ସାମଗ୍ରୀର ଦାମ୍ ତିନି ଚାରିଗୁଣା ଅଧିକ ହୋଇଥାଏ । ଏ ନେଇ ଆଗରୁ ବି ଅଭିଯୋଗ ହୋଇଛି । ଚିଦାମ୍ବରମଙ୍କ ପୋଷ୍ଟ ଦ୍ୱାରା ପୁଣି ଏ ପ୍ରସଙ୍ଗରେ ଚର୍ଚ୍ଚା ହେଉଛି । ଚିଦାମ୍ବରମଙ୍କ ଚା’ପୋଷ୍ଟକୁ ଲକ୍ଷେ ଭିଉ ମିଳିସାରିଲାଣି । ହଜାର ହଜାର କମେଂଟ ବି ଆସିଛି ।

Comments are closed.